ଏଇତ ଦୁନିଆଁ
ଏଇତ ଦୁନିଆଁ
ପଞ୍ଚଭୂତେ ଗଢା ମଣିଷ ଶରୀର
ସବୁଦିନେ ରହେ ନାହିଁ
ପାଣି ଫଟକାର ସଦୃଶ ଜୀବନ
ଏଇ ଅଛି ଏଇ ନାହିଁ ।
ମଣିଷ ଜୀବନ ସମୟ ସୀମିତ
ଅଛି ଅୟରାମ୍ଭ ଶେଷ
ଜନ୍ମ ହୋଇ କିଏ ରହେନି ଅମର
ମରଇ ଦିନେ ଅବଶ୍ୟ ।
ଦୁଃଖ ସୁଖ ଚକ୍ର ସଂସାର ଅବସ୍ଥା
ନୁହେଁ ସ୍ଥିର ଚଳମାନ
ସୁଯୋଗ ଆସିଲେ ରଙ୍କ ବି ପାଲଟେ
ବିତ୍ତଶାଳୀ ଧନବାନ ।
ଆଜି ଯିଏ ଶିଶୁ ହୋଇବ ଜନକ
ଭବିଷ୍ୟତ ନାଗରିକ
ଗଢ଼ଇ ସମ୍ବନ୍ଧ ରଖେ ସୁସମ୍ପର୍କ
ବୋଲାଏ ସେ ସାମାଜିକ ।
ହୁଏ ସଦାଚାରୀ ସୁପାତ୍ର ସଜ୍ଜନ
ଅରଜଇ କୀର୍ତ୍ତି ଯଶ
ଦୁରାଚାରୀ ଦୁଷ୍ଟ ଦିଏ ଦୁଃଖ କଷ୍ଟ
ଜୀବନ ତା ଅଭିଶପ୍ତ ।
କରେ ଅଭିନୟ ପ୍ରତିଟି ମଣିଷ
ଚରିତ୍ର କରେ ଚୟନ
କରମ କର୍ତ୍ତବ୍ୟେ ସାଉଣ୍ଟେ ପ୍ରଶଂସା
ଭୂମିକା ହେଲେ ନିଖୁଣ ।
ସଂସାରେ ନାଟକେ ଈଶ୍ୱର ଅଟନ୍ତି
ରଚୟିତା ନିର୍ଦ୍ଦେଶକ
ନିଭାଏ ଭୂମିକା ପ୍ରତିଟି ମଣିଷ
ନିମିତ୍ତ ସିଏ ମାତ୍ରକ ।
ଦୃଶ୍ୟ ହେଲେ ଶେଷ ମଞ୍ଚ ଅନ୍ଧକାର
ଯବନୀକା ହୁଏ ପାତ
ମିଛ ମାୟା ଭରା ଏଇତ ଦୁନିଆଁ
ଏ ଜୀବନ ରଙ୍ଗମଞ୍ଚ ।
