ବନ୍ଧୁତା-୨
ବନ୍ଧୁତା-୨
ଜୀବନ ନାଟକେ ତୁମେ ହିଁ ପ୍ରେରଣା
ଆହେ ମୋର ପ୍ରିୟ ବନ୍ଧୁ
ଘନକୁହୁଡ଼ି ର ତୁମେ ବିନ୍ଦୁ ରେଖା
କାକର ମୁକୁତା ବିନ୍ଦୁ ।
ବନ୍ଧୁ ରୂପ ନେଇ ସାଥିରେ ଚାଲୁଛ
ଯେବେଠୁ ହୋଇଛି ଦେଖା
ଶରୀର ଗୋଟିଏ ଦୁନିଆ ଆଖିରେ
ମୋ ପାଇଁ ରୂପ ଅଧିକା ।
ପତ୍ର ବିନା ବୃକ୍ଷ ଶ୍ରୀହୀନ ଯେମିତି
ଜଳ ବିନା ମୀନ ଯେହ୍ନେ
ଶ୍ରୀହୀନ ହୋଇବ ସମ୍ପର୍କର ସ୍ତୁପ
ତୁମ ବିନା ସବୁ ଦିନେ ।
ଆମ ଏ ସଂପର୍କ ଫୁଲ ଟିଏ ହୋଇ
ବାସୁଥିବ ଅବିରତ
ଅତୁଟ ରହିବ ସମ୍ପର୍କ ର ଡୋର
ଆସୁ ଯେତେ ପ୍ରତିଘାତ ।
ଆମ ଏ ବନ୍ଧୁତ୍ୱ ବିଶ୍ଵ ବାର୍ତ୍ତା ହେବ
ସ୍ୱର୍ଣ୍ଣ ବର୍ଣ୍ଣେ ହେବ ଲେଖି
ଆଜୀବନ ଦୁହେଁ ଏକାଠି ଚାଲିବା
କାଳିଆ ରହିଛି ସାକ୍ଷୀ ।
