ତୁମେ ଗଢିଛ ଏ ସୁନାର ସଂସାର
ତୁମେ ଗଢିଛ ଏ ସୁନାର ସଂସାର
କେତେ ଯତନେ ଏତେ ସୁନ୍ଦର
ତୁମେ ଗଢିଛ ଏ ସୁନାର ସଂସାର,
ସୂର୍ଯ୍ଯ ଚନ୍ଦ୍ର ତାରର ନୀର ଅମ୍ଵର
ଧରାରେ ବନ ଗିରି ନଦୀ ସାଗର।
ପିତାମାତା ଭାଇ ଭଉଣୀର
ହସ ଖୁସି ଭରା ପରିବାର,
ହୃଦୟେ ସେନେହ ସଭିଁଙ୍କର
ଭରି ଦେଇଅଛ ଅମୃତର।
ମନ୍ଦିର ସମ ସୁନ୍ଦର ଘର
ମନରେ ଭକ୍ତି ଶକ୍ତି ଅପାର,
ମମତାରେ ବାନ୍ଧି ଭାବ ଡୋର
ସୁଖେ ରଖିଅଛ ନିରନ୍ତର।
ପାଇଛି ଜୀବନ ଏ ଶରୀର
ସେ ତୁମରି କୃପା ଆଶିଷର,
ବୁଦ୍ଧି ଜ୍ଞାନ ବିବେକ ବିଚାର
ରୂପ ଗୁଣେ ନାହିଁ ପଟାନ୍ତର।
କର୍ମ କରିବାକୁ ନିରନ୍ତର
ପ୍ରାଣେ ପ୍ରାଣ କର ତ ସଞ୍ଚାର,
ପ୍ରେରଣା ଭରି ଦିଅ ପ୍ରଚୁର
ସପନ କରିବାକୁ ସାକାର।
ସବୁରି ଠାରେ ତୁମ ନଜର
ରଖିଥାଅ କରି ଯେ ଆଦର,
ଦିଅ ଯାହା ହୁଏ ଦରକାର
ଅଭାବ ସବୁ ତ ଦୂର କର।
ସୁଖ ଦୁଃଖର ଯେତେ ଖବର
ସେ ତ ସବୁ କରମ ଫଳର,
ତୁମ ବିନା ନାହିଁ ଯେ ନିସ୍ତାର
ପାଦେ ତୁମ କୋଟିଏ ଜୁହାର।
