ଏଇ ମୋ ଦେଶ ଭାରତ
ଏଇ ମୋ ଦେଶ ଭାରତ
ଏଇ ମୋ ଦେଶ ଭାରତ,
ଜଗତ ଭିତରେ ଅଟଇ ଶ୍ରେଷ୍ଠ
ଏଇ ମୋ ଦେଶ ଭାରତ ।
ରତ୍ନାକର ଯା'ର ପୟର ଧୋଉଛି
ହିମାଦ୍ରି ତା' ଶିରେ କିରୀଟ ସାଜେ
ଅମ୍ଳାନ ପାଟ ଯେ ପିନ୍ଧାଏ ଅଟବୀ
ବିନ୍ଧ୍ୟ ଗିରି କଟୀ ମେଖଳା ସାଜେ ।
ତିନିପାର୍ଶ୍ୱେ ବେଢ଼ି ରହିଛି ବାରିଧି
କେତେ ନଦନଦୀ ଅଙ୍ଗ ରେ ରାଜେ
ଗଙ୍ଗା ବ୍ରହ୍ମପୁତ୍ର ଗୋଦାବରୀ ଆଦି
ଅଙ୍ଗ ଅଳଙ୍କାର ପ୍ରାୟେକ ବିଜେ ।
ଏଇ ମୋ ଦେଶ ଭାରତ
ବୀର ପ୍ରସବିନୀ ଅମୃତମୟୀ ସେ
ତା' ନାମ ରେ ସତେ ସୁଧା କି ଝରେ
କେତେ ଯେ ମହାତ୍ମା ବୀରଶୂର ନର
ଜନମିଲେ ଆସି ତାହାରି କୋଳେ ।
କେତେ ଯେ ବିଦୁଷୀ ସତୀସ୍ୱାଧୀ ନାରୀ
ଜନମି ତା' ଅଙ୍କ କଲେ ଉନ୍ନତ
କେଉଁ ପୁଣ୍ୟ ବଳେ ଜନ୍ମିଲି ତା' କୋଳେ
ତନୁ ପ୍ରାଣ ମୋର ହେଲା କୃତାର୍ଥ ।
ଏଇ ମୋ ଦେଶ ଭାରତ
କରେ ମୁଁ ଶପଥ କରିବିନି ବ୍ୟର୍ଥ
ଭାରତ ମାତା ର ଯଶ ଗୌରବ
ମାତୃଭୂମି ଟେକ ତାହାର ମହତ
ରଖିବି କରି ମୁଁ ମୋ ପ୍ରାଣପାତ ।
ଏଇ ମୋ ଦେଶ ଭାରତ,
ଜଗତ ଭିତରେ ଅଟଇ ଶ୍ରେଷ୍ଠ
ଏଇ ମୋ ଦେଶ ଭାରତ

