ଏଇ ଦେଶ ମୋ ମାଆ
ଏଇ ଦେଶ ମୋ ମାଆ
ସରଗ ଠାରୁ ଅଟଇ ବଡ଼
ମୋର ଏ ମାଟି ମାଆ ,
ଜନମ ଦିନୁ ମରିବା ଯାଏ
ହୁଏ ଭରସା ସାହା
ଯେ ଦିନ ମୁହିଁ ଜନମ ନେଲି
ଡାକିଲି କୁଆଁ କୁଆଁ ,
ଏ ମାଟି ମୋତେ କୋଳେଇ ନେଲା
ଦେଇ ମମତା ଛୁଆଁ
ତାହାରି ଖାଦ୍ୟ ,ବସନ ,ବାସ-
ପାଣି ପବନ ପାଇ ,
କୋଳରେ ଖେଳି ଏଡୁଟିଏରୁ
ଏଡ଼ୁଟେ ହେଲି ମୁହିଁ
ଜୀବନ ଅନ୍ତେ ମରିବି ଯେବେ
ତେବେ ବି ଏଇ ମାଟି ,
କଦାପି ମୋତେ ଛାଡ଼ିବ ନାହିଁ
ଛାତିରେ ନେବ ଚାପି
ସେ ତ ଅତୁଲ୍ୟ ନୁହଁଇ ତୁଲ୍ୟ
ଆଉ କା ସାଥେ କେବେ ,
କେତେ ଜନ୍ମର ପୁଣ୍ୟେ ମୁଁ ତାକୁ
ପାଇଛି ମାଆ ଭାବେ
ଦେଵୋଭୂମି ଏ ତପୋଭୂମି ଯେ
ସାରା ସଂସାରେ ସାର ,
ଯୁଗେ ଯୁଗେ ତ ସର୍ବଦା ଇଏ
ଆଦର୍ଶ ଦୁନିଆର
ତାହାରି କୋଳେ ଜନମ ଲଭି
ହୋଇଛି ମୁହିଁ ଧନ୍ୟ ,
ସଦା ତା' ସୁଖ,ସମୃଦ୍ଧି,ଶାନ୍ତି
ମୋର ଏକାନ୍ତ କାମ୍ୟ
କେଉଁଠି କାହିଁ ଏମିତି ଦେଶ
ରହିଛି ଭୂମଣ୍ଡଳେ ,
ସର୍ବଦା ସତ୍ୟ,ଶାନ୍ତି,ଅହିଂସା,
ଧରମ ପଥେ ଚଳେ
ମନରେ ମୋର ଗୋଟିଏ ଇଚ୍ଛା
ତା'ର ସେବାରେ ଲାଗି ,
ହସି ହସିକା ସାରା ଜୀବନ
ମୁହିଁ ବିତେଇ ଦେବି
ଜୀବନ ଅନ୍ତେ କେବେ ବି ମୋତେ
ସୁଯୋଗ ଯଦି ମିଳେ ,
ବାରବାର ମୁଁ ଜନମ ନେବି
ଏଇ ଭାରତ କୋଳେ
ତାହାରି କୀର୍ତ୍ତି ,ଗୌରବ ଗାଥା
ଯେତେ ଆଦର୍ଶ ନୀତି ,
ଦେଶରୁ ଦେଶ ଗାଇ ବୁଲିବି
ଫୁଲାଇ ଦେଇ ଛାତି
ଜନନୀ ପରି ଜନମଭୂଇଁ
ଅଟଇ ମୋର ମାଆ ,
ଭୁଲି ନାହିଁ ମୁଁ ଭୁଲିବି ନାହିଁ
କେବେ ବି ତା'ର ନାଆଁ
