ଏଇ ଅଶିଣରେ.......
ଏଇ ଅଶିଣରେ.......
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଏଇ ଅଶିଣରେ ଧାନ କିଆରିଟି
ଦିଶେ ଭାରି ମନଲୋଭା
ପତରରେ ତା'ର ଧରିଥାଏ ସିଏ
ସବୁଜ ରଙ୍ଗର ଶୋଭା
ପାଟରେ ପଠାରେ ଏଇ ଅଶିଣରେ
କାଶଫୁଲ ଫୁଟିଯାଏ
ଧୋବଧଉଳିଆ ରଙ୍ଗର ସେମାନେ
ମନକୁ ଆମରି ପାଏ
ଏଇ ଅଶିଣରେ ଆକାଶଟି ପରା
ଘନ ନୀଳ ରଙ୍ଗ ଦିଶେ
ଆଖି ଫେରେ ନାହିଁ ଯେବେ ସେ ରଙ୍ଗରେ
ଆଖି ଦୁଇ ଆମ ମିଶେ
ସରସୀର ଜଳ ଏଇ ଅଶିଣରେ
ସଫା ନୀଳ ରଙ୍ଗ ଧରେ
ପାଶେ ଠିଆ ହୋଇ ଦେଖଣାହାରୀଟି
ଦେଖେ ଯେବେ ମନ ହରେ
ଏଇ ଅଶିଣରେ କେତେ ଯେ ରଙ୍ଗର
ଫୁଲଙ୍କର ମେଳା ବସେ
ସଜେଇ ହୋଇକି ସୁନ୍ଦର ଠାଣୀରେ
ଧରା ରାଣୀ ମିଠା ହସେ
ସବୁ ସେ ରଙ୍ଗରୁ ଏଇ ଅଶିଣରେ
ଆସ କିଛି କିଛି ନେବା
ମାଆ ଆସୁଛନ୍ତି ସରଗୁ ଓହ୍ଲାଇ
ତାଙ୍କ ପାଦ ତଳେ ଦେବା
କରୁଣାମୟୀ ସେ ଜୀବନେ ଆମରି
ନାନା ରଙ୍ଗ ଦେବେ ଭରି
ଖୁସି ହେବା ଏଇ ଅଶିଣରେ ଆମେ
ରଙ୍ଗର ଜୀବନ ଧରି