STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଏଇ ଆମ ଶେଷ ଦେଖା

ଏଇ ଆମ ଶେଷ ଦେଖା

1 min
366


ଘଣ୍ଟା ସାଇକେଲ ରେଡ଼ିଓ ଟ‌ଅର୍ଚ୍ଚ‌

    କ୍ୟାମେରା ଏକାଠି ହେଲେ,

କାଲକୁଲେଟର ଓ ଟେଏପ ରେକର୍ଡ

    ଆସି ମଧ୍ଯ ପହଞ୍ଚିଲେ।


ଆରମ୍ଭ ହୋଇଲା ସଭାଟିଏ‌ ଯେବେ

    ପହଞ୍ଚିଲା ଡାକଚିଠି,

ସେ ଅଧିବେଶନେ ସଭାପତି ହେଲେ

    ଆମ ପ୍ରିୟ ରେଡିଓଟି।


କହିଲେ ଆମକୁ ଛୁଟି ମିଳିଗଲା

    ଏହି ମୋବାଇଲ ପାଇଁ,

ଘଣ୍ଟା କି ରେଡ଼ିଓ ସାଇକେଲଟିକୁ

    ଆଉ କେହି ଖୋଜୁନାହିଁ।


ଘରେ ଘରେ ଆଉ ଟେଏପ ରେକର୍ଡ

    ଗାଉ ନାହିଁଁ ନାନା ଗୀତ,

ବଜାର ସହରେ ଫଟୋ ଷ୍ଟୁଡିଓଟି

    ଆଖିରେ ପଡୁନାହିଁତ।


ମୋବାଇଲ ଆଜି ରାଜୁତି କରୁଛି

    ଅନ୍ଲାଇନ ଖେଳ କରି,

ଅନ୍‌ଲାଇନରେ ଗୀତ ଫଟୋ ସବୁ

    ଶୀଘ୍ର ଯାଉଅଛି ମିଳି।


ଅନ୍‌ଲାଇନରେ ଟଙ୍କା ଦିଆନିଆ

     ଅନ୍ଲାଇନରେ କାମ,

ଅନଲାଇନରେ ଭାବ ଦିଆନିଆ

     ଅନ୍ଲାଇନରେ ପ୍ରେମ।


ଅନ୍‌ଲାଇନରେ ଫ‌ର୍ମ ପୁରଣ

    ଅନ୍ଲାଇନ ନାମ ଲେଖା,

ଅନ୍ଲାଇନରେ ପାଠପଢ଼ା ପୁଣି

    ଅନ୍ଲାଇନରେ ବାର୍ତ୍ତା।


ଫେସ୍ ବୁକ୍ ହ୍ଵାଟ୍‌ସଫ୍ ଚାଲେ ପୁଣି

    ସେଲ୍ଫୀ ଉଠାଉଠି ହୁଏ,

ଅନ୍ଲାଇନପ୍ରେମ ଅକାରଣେ କେତେ

    ଜୀବନ ବି ନେଇଯାଏ।


ପିଲାମାନେ ଆଜି ମୋବାଇଲ ପାଇଁ

    ଯିଦି‌ ଧରୁଛନ୍ତି ଘରେ,

ହେଉ ଯୁବପିଢୀ କିମ୍ବା ବୁଢାବୁଢି 

    କିଏ ୟାକୁ ଛାଡିପାରେ ।


ଘରେ ବି ଘରଣୀ ଧରି ମୋବାଇଲ

    କାମଧନ୍ଦା ଛାଡିଲାଣି,

ରସିକ କବିଟି ମୋବାଇଲ ଧରି

    ପ୍ରେମ ଗୀତ ଲେଖିଲାଣି।


ନେଟୱର୍କ ଜାଲେ ଛନ୍ଦି ହୋଇ ଆଜି

     ମଣିଷଟି‌ ମୀନ ପ୍ରାୟେ,

ଛଟପଟ ହୋଇ ତଥାପି ନାଚୁଛି

     ମାୟାରେ ସେ ବାଇ ହୁଏ।


ରେଡ଼ିଓରୁ କେହି ସମ୍ବାଦ ନାଟକ

     ଭଜନ ପାଲା ଶୁଣୁନି,

ଘଣ୍ଟାରୁ ସମୟ କେହି ବି ଦେଖୁନି

     ଚିଠି ବି ଆଉ ଆସୁନି‌।


ହିସାବପତର ଦୁନିଆଁ ଖବର

     ସଂସାର ହାତ ମୁଠାରେ,

ଏହି ମୋବାଇଲ ପେଟେ‌ ବିଶ୍ଵରୂପ‌

     ମଣିଷଟି ଦେଖିପାରେ।


ଭଗାରୀଟି ସାଜି ମୋବାଇଲ ଆଜି

     ଆମକୁ ସେ ତଡି‌ଦେଲା,

ଆମଠିଁ ଆଦର ଆଉ ବନ୍ଧୁ ନାହିଁ

     ଆମ ବେଳକାଳ ଗଲା।


ତେଣୁ ଆଉ ଦେଖା ହେବ ନାହିଁ ବନ୍ଧୁ

    ଏବେ ସଭାସାଙ୍ଗ କର,

ଏହି ଶେଷ ଦେଖା ଭୁଲି ସାଙ୍ଗ ସଖା

     ଯିବା କବାଡିଆ ଘର ।


ବିଦାୟ ନେଉଛୁ ହେ ପ୍ରିୟ ମଣିଷ

     ମୋବାଇଲ ଧରୁଥାଅ,

ମୋବାଇଲ ଦେଖ ପାଅ ଯେତେ ସୁଖ

     ଆମକୁ ଭୁଲି ନ ଯାଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy