ଦୟିନୀ
ଦୟିନୀ
ମାଗି ତ ନଥିଲି ଏମିତି ଜୀବନ
କାହିଁକି ମାରୁଛ ଏତେ କଷଣେ
ଝଡ ତଳେ ମୁଁ ଯେ ପୋତି ହୋଇ ଭାବେ
ଗଡ଼ ଜିଣିବାକୁ ରହିଛି ମନେ l
ମନ୍ତ୍ରଣାରେ ଭରା ଯନ୍ତ୍ରଣା ଭୋଗୁଛେ
ଆଖି ଲୁହ ମାରି ହସ ଉପରେ
ପାଦତଳ ମାଟି ଫପସା ହେଉଛି
ଖସିଖସି ଯାଏଁ ବେଳ ସାଥିରେ l
ହତାଶେ ଉଦାସ ସତେ କର୍ମ ଫାଶ
ମୁକୁଳିବା ଚେଷ୍ଟା ହୁଏ ବିକଳ
ପାଦୁ କଣ୍ଟା କାଢି କଠିନେ ଚାଲଇ
ଦୁଇକଡେ ଦେଖେ ହାଡ କଙ୍କାଳ l
ନାରୀ ଆର୍ତ୍ତନାଦ ବାଳୁତ ଦରଦ
ବାର୍ଦ୍ଧକ୍ୟ କଷଣ କର୍ଣ୍ଣେ ଭେଦୁଛି
ପ୍ରାର୍ଥନାର ଢେଉ ଢାଉ ଢାଉ ହୋଇ
ତୋ ଦ୍ୱାର ପାହାଚେ ମଥା ପିଟୁଛି l
କାହିଁକି ଦେଖୁଛି ଆଖି ମୋର ଏହା
ମନ ଲୋଟିଯାଏ ସଦା ତୋ ପାଦେ
ଶୁଣ ମୋ ଦୟିନୀ.. ଦୟା କର ବେନି
କର ଯୋଡି ମାଗେ ଶୁଣ ନୀରବେ
ଥରୁଟିଏ ମୋ ଗୁହାରୀ ଘେନିବେ ll
