ଦୟା ହେ କଳାସାଆନ୍ତେ
ଦୟା ହେ କଳାସାଆନ୍ତେ
ଏତେ ବଡ଼ ବଡ଼ ଚକାଆଖି ମେଲି
ଦେଖୁଅଛ ଏ ଜଗତ,
କାନ ନାହିଁ ସିନା ଶୁଣି ତ ପାରୁଛ
କ'ଣ ମିଛ ଆଉ ସତ,
ଦେଖାଅ ପଥ ଅପଥ
ଲୋଡ଼ା ନାହିଁ ପ୍ରଭୁ ଧନ ଦୌଲତ
ଖୋଜେ ଶାନ୍ତିର ସୁପଥ।
ଅଭିନୟ ଚାଲେ ଧରମ ଦାଣ୍ଡରେ
ଆଖିରୁ ବୁହାଇ ଲୁହ,
ଦଶମାସ ଗର୍ଭ ଯନ୍ତ୍ରଣା ଭୁଲେନା
ମାଆ ଖୋଜୁଥାଏ ପୁଅ,
କାହାକୁ କହିବ କୁହ
ଏ ପାଖେ ମାଉସୀ ସେ ପାଖେ ପିଉସୀ
ଛଳନାରେ ଧନ୍ଦି ଥାଅ।
ହେ ମୋର କଳାକହ୍ନେଇଁ ଦୟାବହି
ଟିକିଏ ଶୁଣ ଗୁହାରୀ,
ନାହିଁ ଆଉ ଧୈର୍ଯ୍ୟ ଦେଖି ଶୁଣିବାକୁ
ମିତ୍ର ଅବା କେ ବଇରୀ,
ଆସିଛି ଏ ଜଗତେ
ହିଂସା ବାଦେ ଲିପ୍ତ ନ ହୋଇ ସଭିଙ୍କୁ
ମିତ୍ରରେ ଗଣେ ଯେମନ୍ତେ।
ଦୟା ହେ କଳାସାଆନ୍ତେ।