ଦୁର୍ଗତି ନାଶିନୀ ନ ନିଅ ମେଲାଣି
ଦୁର୍ଗତି ନାଶିନୀ ନ ନିଅ ମେଲାଣି
ଦୁର୍ଗତି ନାଶିନୀ ଦୁର୍ଗା,ମା'ରୁପରେ ହୁଅ ଆସି ଉଭା
ମା'ବିନା ସାହା ନାହିଁ,ମା'ରୂପ ହିଁ ଅତିଶୟ ଶୋଭା
ପ୍ରତିବର୍ଷ ପାର୍ବଣରେ ଆଗମନ ଯୁଗ ଯୁଗ ଧରି
ପାପ ଭାଗ ମାତ୍ରାଧିକ ପରେ ସ୍ଵୟଂ ଆସ ଅବତରି
ମାତୃ ରୂପରେ ଆସି,ଶକ୍ତି ବଳରେ ପାପୀଙ୍କୁ ନିପାତ
ଶାନ୍ତି ସ୍ଥାପନ କରି ରକ୍ଷା କରିଅଛ ଜୀବ ଜଗତ
ଦୁଃଖ ଅନେକ,ସମସ୍ୟା ବହୁଳ ଏହି ପାପୀ ଜିବନ
କେହି ସାହା ନାହିଁ,ମା ଛେଉଣ୍ଡ ପରି ଅଧମ ସନ୍ତାନ
ଧନ ସମ୍ପଦ ଯଶ ବିନା ଶାନ୍ତିରେ ଜୀବନଯାପନ
ଏ ନିବେଦନ ସହିତ ଦୁଃଖ କଥା କରନ୍ତୁ ଗ୍ରହଣ
ପ୍ରତି ପାର୍ବଣରେ ପୁର ପଲ୍ଲୀ ହୁଏ ଉତ୍ସବ ମୁଖର
ସବୁରି ମୁଖେ ମା' ଉଚ୍ଚାରଣ ଥରେ ନୁହଁ ବାରମ୍ବାର
ମା ହିଁ ଜାଣେ ସନ୍ତାନର ମନ ଉଣା ଅଭାବର କଥା
ଖାଇଥିଲେ ବି ତୁହାକୁ ତୁହା କହିବ ଖାଇବା କଥା
ଭୋକ'ଦୁଃଖ'ରୋଗ'ବିପଦ ସହିତ ବଞ୍ଚିଛି ଜୀବନ
ପଣତକାନି ଘୋଡେ଼ଇ ରକ୍ଷାକର ଅଧମର ପ୍ରାଣ
ଦୁର୍ଗତିନାଶିନୀ ଜୟ ମା ଭବାନୀ,ଆସ ଅବତରି
ନିବେଦନ ଶୁଣ ମାଆ,ଚରଣରେ କରୁଛୁ ଗୁହାରି
ଶୁଭ ପାର୍ବଣରେ ଏ ଧରା ଧାମକୁ ହେଉ ଆଗମନ
ଚଳନ୍ତି ଦୁର୍ଗତି ଖଣ୍ଡନ ଓ ଦୋଷ କର ନିବାରଣ
ଶାନ୍ତି ମୈତ୍ରୀ ପ୍ରେମ ରଜ୍ଜୁରେ ଛନ୍ଦିରଖ ଏ ଭୁବନ
ସୁଖ ଶାନ୍ତି ପାଇଁ ମା ଭବାନୀ ଙ୍କୁ କରୁଅଛୁ ଜଣାଣ
ଅହଙ୍କାର ଭରି ରହିଛି ମାନବ ସମାଜ ଭିତରେ
ଅହଂ ଭାବ ଆଜିକାଲି ସାଧାରଣ ସଭିଙ୍କ ମନରେ
ମଣିଷ ନିଜକୁ ନିଜେ ବଡ ବୋଲି ମନେମନେ ଗର୍ବ
ନିଜର ହିଁ ଜିଦ୍, ନାହିଁ ଅନ୍ୟ ପ୍ରତି ସ୍ନେହପ୍ରେମ ଭାବ
ହରଣ କରି ଦିଅ ମାଆ ,ଏହି ଅହଂକାର ଭାବନା
ପରଷ୍ପର ପ୍ରତି ରହୁ ସମ୍ପର୍କ, ପ୍ରେମ-ସମବେଦନା
ନିଷ୍ଟୁର ମଣିଷ ସମାଜର ପ୍ରତି କୋଣ ଅନୁକୋଣେ
ନିରୀହ ଜୀବ ଜନ୍ତୁଙ୍କ ପ୍ରାଣ ହାନୀ ହୁଏ ପ୍ରତି କ୍ଷଣେ
ଜୀବେ ଦୟା ମନୋଭାବ ମଣିଷର ଲୁପ୍ତହୋଇଅଛି
ଶ୍ରେଷ୍ଠ ଜୀବ ମଣିଷ ,ସକଳ ଜୀବ ଭକ୍ଷଣ କରୁଛି
କୃପା କରି ନାଶ କର ଏହି ନିଷ୍ଠୁରତା ମନୋଭାବ
ଲୋପ ପାଉ ମଣିଷର ଏ ଜୀବ ହତ୍ୟା ମନୋଭାବ
ଦୁର୍ନୀତି ଅତ୍ୟାଚାର ବି ନିହାତି ଚରମ ସୀମାରେ
ଶକ୍ତି ଯାର ମୁଲକ ତାହାର ନୀତି ସକଳ କ୍ଷେତ୍ରରେ
ସତ୍ୟ ଧର୍ମର ସଂଜ୍ଞା ସମ୍ପୂର୍ଣ୍ଣ ଲୋପହୋଇ ଯାଉଅଛି
ମିଛର ରାଜୁତି ଚାରିଆଡେ ଘେରି ଖେଳ କରୁଅଛି
ଅନ୍ୟାୟ ରାଜୁତି ଅତିବ ଅସହ୍ୟ, ହେଉ ଅବସାନ
କୃପାକରି ପାପୀ ଦୁରାଚାରୀ ଗଣ ହୁଅନ୍ତୁ ନିଧନ
କାମନା ବାସନାରେ ଜର୍ଜରିତ ଏ ମାନବ ସମାଜ
ମା ଝିଅ ବୋହୂ ନିର୍ଯାତନାର ଶିକାର ହେଉଛି ଆଜ
ଦୁଷ୍କର୍ମ ବ୍ୟଭିଚାର ହେଉଛି ନିତି,ପ୍ରତି ମୁହୂର୍ତ୍ତରେ
ନିରୀହ ଜୀବନ ଶେଷ ହେଉଅଛି ପାପୀ କବଳରେ
କାମନା ବାସନାର ଚିନ୍ତାଧାରା ବି ଦୂର ହୋଇଯାଉ
କୃପା କରି କଳି କାଳ ରାବଣ ନିପାତ କରାଯାଉ
କ୍ରୋଧ ର ନିଆଁରେ ଜଳୁଛି ଆଧୁନିକ ଭଦ୍ର ସମାଜ
ଟିକିଏ କଥାରେ ହତ୍ୟା ପାଇଁ ଚାଲୁଅଛି ସଜବାଜ
ବୁଝିବାର ଶକ୍ତି ମଣିଷ ସମ୍ପୂର୍ଣ୍ଣ ହରାଇ ବସିଛି
ନିଶା ସେବନ କରି ହିତାହିତ ଜ୍ଞାନ ଭୁଲି ଯାଉଛି
ମାଦକ ଦ୍ରବ୍ୟ ଗ୍ରହଣ,ବଢ଼ାଉଛି ଅହେତୁକ କ୍ରୋଧ
କୃପା କରି ଏହି ନିଶାଡୀଙ୍କୁ କର ବୋଧ ଅବା ବଧ।
ଲାଳସା ଭରି ଅଛି ପ୍ରତି ମଣିଷର ମନ ଭିତରେ
ରାତାରାତି ଧନୀ ହେବାର ଚିନ୍ତା,ବିନା ପରିଶ୍ରମରେ
କଳାଧନ ହେଉ ଅବା ଅନ୍ୟାୟ ଅନୀତି ଉପାୟରେ
ଲିପ୍ତ ରହି ମଣିଷ ସ୍ବପ୍ନ ଦେଖୁଛି ଲୋଭର ଛାୟାରେ
କୃପାଦୃଷ୍ଟି ରଖି ମାଆ, ହୀନ ଭାବନା ଦିଅ ହଟେଇ
ଲୋଭୀ ମଣିଷଙ୍କୁ ଆଉ ଥରେ ଦିଅ ମାଆ ବୁଝେଇ
ଗର୍ବ ଅହଙ୍କାରରେ ଛାତି ଫୁଲେଇ ଏ ଯୁବ ସମାଜ
ଗୁରୁଜନ ମାନଙ୍କୁ ବି କରୁଅଛି ହେୟ ଜ୍ଞାନ ଆଜ
ଉଚ୍ଚ ପଦବୀରେ ଥାଇ,ମନରେ ଅଛି ଗର୍ବ ଭାବନା
ହିନ ଦୃଷ୍ଟିରେ ଦେଖୁଛନ୍ତି ଅନ୍ୟକୁ ହୋଇ ଗର୍ବୀମନା
ଗର୍ବ-ନାଶିନୀ ମା ମଣିଷ ମନର ଗର୍ବ ଖର୍ବ କର
ତୋର ପାଦ ପଦ୍ମରେ କେବଳ ମନ ରହୁ ନିରନ୍ତର
ହିଂସା ମନରେ ଆତଯାତ, ଏ କଳିଯୁଗର ମଣିଷ
ଅନ୍ୟର ଉନ୍ନତି ଦେଖି ମନ ମନେ ଈର୍ଷା ହୁଏ ଚାଷ
ହିଂସା ଈର୍ଷା ଆଢ଼ୁଆଳେ ହୁଏ ପରିଣତି ଭୟଙ୍କର
ହିଂସା ପ୍ରଭାବରେ ନିହାତି କ୍ଷତି ହେଉଅଛି ନିଜର
ମା ସିଂହବାହିନୀ ତୋ ପାଦ ତଳେ କରୁଛୁ ଦୟିନୀ
ମଣିଷ ମନରେ ହିଂସା ଈର୍ଷା ଦୂର କର ଏହି କ୍ଷଣି।
ମୋହ ମାୟାରେ ପୀଡ଼ିତ ହୋଇଅଛି ଜନ ସମାଜ
ପାର୍ଥିବ ଓ ଭୌତିକ ବସ୍ତୁ ରେ ମୋହ ସର୍ବେ ଆଜ
ମା ଭବାନୀ,ଜ୍ଞାନ ଚକ୍ଷୁ ଖୋଲି ବାରେ ହୁଅ ସାହା
ମୋହ ଫେଡି ହୃଦୟରେ ବହୁ ଆଧ୍ୟାତ୍ମିକ ବାଆ।
ସ୍ବାର୍ଥ ଓ ସ୍ୱାର୍ଥପରତା ରହିଅଛି ଘରେ ଓ ବାହାରେ
ନିଜ କଥା ଚିନ୍ତା ,ନିଜର ସୁବିଧା ,ନିଜ ଭାବନାରେ
ସବୁ କାମ ପ୍ରତି କଥା ଚିନ୍ତା ଚେତନାରେ ମୁଁ,ମୋର
ମୁଁ ଓ ମୋର ସବୁ କହି କହି ,ହେଉଅଛି ଛାରଖାର
ହାତ ଯୋଡ଼ି ନିବେଦନ କରୁ ଆଶିଷ କର ପ୍ରଦାନ
ଦାରିଦ୍ର୍ୟ ସେବା ପାଇଁ ବ୍ୟସ୍ତ ରହୁ ମଣିଷ ଜୀବନ
ଅଭୟ ଦାୟିନୀ,ଦୁର୍ଗତି ନାଶିନୀ,ଜୟ ମା ଭବାନୀ
ପାର୍ବଣରେ ଦଶ ଦୋଷ ନାଶ ପାଇଁ କରୁଛୁ ଦୟିନୀ
ପଥ ହୁଡ଼ି ଏ ସଂସାର ମୋହମାୟାରେ ଅଛି ଜଡ଼ିତ
ତୁମ କୃପା ଲଭି,ମଣିଷ ସମାଜ ହେଉ ପାପ ମୁକ୍ତ।
ମଙ୍ଗଳମୟୀ ମା ମଙ୍ଗଳା ରୂପରେ ପାଉଅଛୁ ପୂଜା
ମଙ୍ଗଳ ମନାସି ତୋ କୃପା ଭିକ୍ଷା କରେ ରାଜା ପ୍ରଜା
ମା'ର ମମତା ଆଉ କାନି ପଣତ ଦିଅ ଘୋଡେ଼ଇ
ଅସହାୟ ସନ୍ତାନ ତୋର ମଙ୍ଗଳ ଆଶିଷ ଲୋଡ଼ଇ
ମଙ୍ଗଳ-କାରୀ ମଙ୍ଗଳାଙ୍କୁ ହିଁ ଜଣା ମଙ୍ଗଳ ଭାବନା
କଳୁଷିତ ସମାଜର ମଙ୍ଗଳ ପାଇଁ କରୁଛୁ ପ୍ରାର୍ଥନା
ମାଆ ଦୁର୍ଗତି ନାଶିନୀ ଆଉ ନିଅନ୍ତୁ ନାହିଁ ମେଲାଣି
ଅବସ୍ଥାନ କର ମା'ପାପ ଭାରାରେ ଧରା ବୁଡିଲାଣି ।
