ଦୁଃଖଦ ସ୍ପର୍ଶ
ଦୁଃଖଦ ସ୍ପର୍ଶ
ସେଦିନ ଜାଣିଲି
ତମେ ଆସୁଛ
ସେଥିପାଇଁ ମୋ ଗାଁ
ମୋ ସହରରେ
ଖୁବ୍ ଚାଲିଥିଲା ଚର୍ଚ୍ଚା ।
ତମ ଅପେକ୍ଷାରେ
ମିଞ୍ଜି ମିଞ୍ଜି ଜଳୁଥିବା
ଡିବି ଆଲୁଅ ଧରି
ଚାତକ ପରି ଚାହିଁ ଥାଏ
ତମକୁ ଦେଖିବାକୁ ।
ବାସ୍ ତମେ ଆସିଲ
କିଟିମିଟି ଅନ୍ଧାରେ
ଫଣା ଟେକି ଟେକି
ଖୁବ୍ ଗର୍ଜନ କରି
ପବନ ବରଷାର
ତାଳେ ତାଳେ ।
ରାତି ତମାମ
ଦେଖାଇଲ ତମ
ରଙ୍ଗ ଆଉ ରୁପ
କି ଭୟଙ୍କର ଥିଲା
ତମ ତାଣ୍ଡବ।
ସକାଳ ହେଲା
ନାହିଁ ପକ୍ଷୀ କଳରବ
ଖାଲି ନିସ୍ତବ୍ଧ ଭିତରେ
ଠକ୍ ଠାକ୍ ଶବ୍ଦ
ତୁହାକୁ ତୁହା କ୍ରନ୍ଦନ ।
ଦୂର ସିମିଳି ଗଛରୁ
ଭାସି ଆସେ
ମାଆ କପୋତର
କରୁଣ ଚିତ୍କାର।
କି ନିର୍ଦୟ ଥିଲ
ତମ ଫଣା ଆଘାତେ
ସବୁଠି କ୍ଷତାକ୍ତ ଚିହ୍ନ
ପଶୁ ପକ୍ଷୀ ମଣିଷ
ଗଛ ଲତା ଘର
ସବୁ ନିଶ୍ଚିହ୍ନ ।
ତମରି ସ୍ପର୍ଶେ
ବଦଳି ଯାଇଛି
ମୋ ଘର ମୋ ଗାଁ
ମୋ ସହର
ଆଉ ଭାଙ୍ଗି ଯାଇଛି
ଆମ ସପନ
ଆମ ଗୌରବ ଶିରି ।
