STORYMIRROR

Upendra prasad Mahala

Abstract Romance Inspirational

3  

Upendra prasad Mahala

Abstract Romance Inspirational

ଦୃଶ୍ୟକାବ୍ୟର ନାୟିକା

ଦୃଶ୍ୟକାବ୍ୟର ନାୟିକା

2 mins
235


କେମିତି କହିବି କୁହ ତୁମକୁ, ଦୃଶ୍ୟକାବ୍ୟ
ଅଭିନୟ କଳାରେ ସୌଖୀନ ନାୟକ ସାଜି
ହାରିଗଲି ମୋ ହୃଦୟ ନିକଟରୁ ମୁଁ ନିଜେ।
ମୋ ଚାରିପାଖେ ଥିଲେ ମାଳମାଳ ନାୟିକା
ତୁମକୁ ବାଛିଥିଲି ମନର ଦୁର୍ବଳ ମୁହୂର୍ତ୍ତରେ।
ତୁମ ଆଖିର ଭାଷା ଥିଲା ଅତି ଆପଣାର,
ସମ୍ପର୍କ ଲାଗୁଥିଲା କେଉଁ କେତେ ଯୁଗର,
ଭାବାନ୍ତର ତୋଳୁଥିଲା ତୁମ ଦ୍ବୈତରୂପ !!

ତୁମେ ହସିଲେ ପରଦାରେ ଜହ୍ନ ଉଉଁଥିଲା
ହାତ ଛୁଆଁରେ ଜ୍ୟୋତ୍ସ୍ନାର ଫୁଲ ଫୁଟୁଥିଲା
ଲୁହ ଝରିଲେ ଅର୍କ୍ରେଷ୍ଟ୍ରାରୁ ଶ୍ରାବଣ ଝରୁଥିଲା
ମଳୟ ବହି ଆସୁଥିଲା ତୁମ ନିଃଶ୍ବାସରେ।
ତୁମ ହାତେ ଥିଲା କାମଦେବଙ୍କ ଫୁଲଧନୁ
ଲକ୍ଷ୍ୟସ୍ଥଳ ଥିଲା ମୋ ସୁକୋମଳ ହୃଦୟ।
ଯୋଗୀରୁ ମୋତେ ସଜାଉଥିଲ ସଂସାରୀ
ଋଷି ହୋଇ ହାରିଲି କାମିନୀ ମାୟାରେ।

ତୁମେ ଥିଲ ରଂଗମଞ୍ଚରେ ନିପୁଣା ନାୟିକା
ଅଭିନୟ କଳାକୁ ଜୀବନ୍ତ କରି ତୋଳୁଥିଲ,
ତୁମ ଉଛୁଳା ରୂପ ଯୌବନ ଆକର୍ଷଣରେ
ଖେଳୁଥିଲା ଅଜସ୍ର ଲତା ବିଜୁଳିର ଚମକ,
ଅପସରୀ ସାଜି ନୃତ୍ୟରେ ମନ ମୋହୁଥିଲ,
ଭାବପ୍ରବଣତାରେ ବାହୁରେ ଜାବୁଡି ଧରି
ଗୋଲାପି ଅଧର ସ୍ପର୍ଶରେ ମୋତେ ଦଂଶନ
କରୁଥିଲ, ସର୍ବାଂଗରେ ଚରୁଥିଲା ବିଷଜ୍ବାଳା
ପ୍ରତିକ୍ଷଣେ ମୋ ଆତ୍ମାର ମୃତ୍ୟୁ ଘଟୁଥିଲା।
ମଞ୍ଚ ପାଦପ୍ରଦୀପ ଲିଭିଯିବା ପରେ ସମସ୍ତେ
ଫେରି ଯାଉଥିଲେ ଘରକୁ,  ଗ୍ରୀନରୁମରେ
ଏକାକୀ ପଡି ରହୁଥିଲା ମୋ ଜୀଅନ୍ତା ଶବ,
ଚାରିଆଡେ ଥାଏ ଖାଲି ଶୂନ୍ୟତାର ଅନ୍ଧାର!

ଦିନେ ଅଭିନେତା ହେବା ଲାଗି ସ୍ବପ୍ନ ଦେଖି
ଦୃଶ୍ୟକାବ୍ୟ ଚେତନାରେ ଥିଲି ବିଭୋର।
ଅଭିନୟ ଦକ୍ଷତା ଲାଗି ପ୍ରଶିକ୍ଷଣ ନେଇ
ମୁହଁରେ ରଂଗ ବୋଳି ଓହ୍ଲାଇଥିଲି ମଞ୍ଚକୁ
ତୁମେ ଜନ୍ମିଥିଲ ସ୍ବଅଭିନୟ କଳା ନେଇ 
ଦେହର ଭାଷା, କଣ୍ଠସ୍ବର ଓ ଅନୁଭବରେ
ନାଟ୍ୟ ଚରିତ୍ରକୁ ସତସତିକା ରୂପ ଦେଇ
ଦର୍ଶକଙ୍କୁ ଅନୁଭବ, ଭାବମଗ୍ନ କରାଉଥିଲ,
ତୁମର ମୋର ସଫଳ ଯୋଡି ନାଁ କମାଇ
ଥିଲା, କରତାଳିରେ ଉଛୁଳୁଥିଲା ରଂଗମଞ୍ଚ
ମିଛ ବୋଲି ଆଦୌ ଭାବି ପାରୁ ନ ଥିଲି
ହୃଦୟର ଆବେଗ ଓ ଭାବପ୍ରବଣତାକୁ ।
ଖୋଜୁଥିଲି ନିରୁତା ଭଲ ପାଇବାର ସଂଜ୍ଞା।

ବାସ୍ତବ ଓ ଚରିତ୍ର ଅଭିନୟରେ ଅସଂଗତି
ମୋ ବିବେକ, ବିଚାରକୁ ହତ୍ୟା କରୁଥିଲା।
ଜାଣେ ମଞ୍ଚ ମାୟା ସତ ହୋଇ ପାରେନା।
ତୁମେ ରାଜକୁମାରୀ ହୁଅ କି କଲେଜ ଗର୍ଲ
ଫରକ ନାହିଁ, ସେହି ଭୂମିକାର ଜୀବନକୁ
ଆଦରିବାକୁ ପଡିବ କ୍ଷଣିକ ଲାଗି, ଯାହା
ଚିରସ୍ଥାୟୀ ନୁହେଁ, ଏକ କଳାତ୍ମକ ଦର୍ଶନ,
ବୀପରିତ ସମ୍ପର୍କର ଭିନ୍ନ ସଂରଚନା !!

କାବ୍ୟେଷୁ ନାଟକ ରମ୍ୟମ। ନାଟ୍ୟ ଜଗତ
ଏକ ମାୟା। ମୁହଁରେ ରଙ୍ଗ ମାଖି ନାଚିକୁଦି
ଦର୍ଶକଙ୍କ ମନୋରଞ୍ଜନ କରିବାକୁ ପଡେ,
କେହି ହୁଏତ ଚିହ୍ନନ୍ତିନି କଳାକାର ହୃଦୟ।
ଭାବପ୍ରବଣତା ବିନା ଅଭିନୟ ଅର୍ଥହୀନ
ମିଳିବନି ଦର୍ଶକ ହୃଦୟର ଭଲ ପାଇବା
ମିଳିବନି କାହାଠୁଁ କରତାଳି ପୁରସ୍କାର।
ଅଭିଜ୍ଞତାରୁ ଏମିତି ବୁଝି ହୁଏ ଜୀବନକୁ,
ଦ୍ବୈତ ଚରିତ୍ର ମନର ଧଳାକଳା ରୂପ ଭଳି
କମେଡି, ଟ୍ରାଜେଡି ହେଉ କି ମେଲୋଡ୍ରାମା
ନାଟକ ଶିଖାଏ ଜୀବନକୁ ଚିହ୍ନିବାର କଳା,
ବାଛିବାକୁ ହୁଏ ହୃଦୟ ଲାଗି ବିକଳ୍ପ ପଥ।

ବାସ୍ତବ ଦୁନିଆ ରଂଗମଞ୍ଚରେ ଏବେ ମଣିଷ
ନିଜ ନିଜ ଭୂମିକାରେ କୁଶଳୀ ଅଭିନେତା
ସବୁଠି ଏବେ ଦୋ' ମୁହାଁ ଚରିତ୍ରଙ୍କ ଭିଡ,
ସମସ୍ତେ ଦୃଶ୍ୟକାବ୍ୟର ନାୟକ ନାୟିକା
ବଦଳି ଯାଇଛି ସରଳ ମନର ପରିଭାଷା !!
ଦୃଶ୍ୟକାବ୍ୟ ଜଗତର ମୁଁ ପରାହତ ନାୟକ
ଅବୁଝା ମୋ କଳାର ହୃଦୟ, ମୋ ଚେତନା
ସଂସାରିକ ଜୀବନରେ କର୍ମଯୋଗୀ ସାଜି
ଖୋଜି ଚାଲିଛି ଭଲ ପାଇବାର ପରିଭାଷା,
'ଜୀବନ ଲାଗି କଳା' ଉକ୍ତିର ଗହନ ଅର୍ଥ !
ଇଛା ହୁଏ ପୁଣି ପାଲଟିଯାନ୍ତି ଯୋଗୀବର
ବିଭୋର ହୁଅନ୍ତି ପଛରେ ଛାଡି ଆସିଥିବା
ଦୃଶ୍ୟକାବ୍ୟ ନାୟିକାର ଲଳିତ ନୃତ୍ୟରେ ।

*******



Rate this content
Log in

Similar oriya poem from Abstract