ଦୋଳି
ଦୋଳି
ଇଚ୍ଛା ହୁଏ ମୋର
ଉଡ଼ି ମୁଁ ଯାଆନ୍ତି
ନୀଳ ଗଗନର ତଳେ,
ଲୁଚକାଳି ଖେଳ
ଖେଳନ୍ତି ସେଠାରେ
ଭସା ବାଦଲର ମେଳେ।
ପାହାଡ଼ ଶିଖରେ
ଲୁଚନ୍ତି ଯାଇ ମୁଁ
ଖୋଜନ୍ତା ମୋତେ ବାଦଲ,
ହିମ ବାତ ଛୁଇଁ
ବରଷି ଯାଆନ୍ତା
ଧରାରେ ସୁନା ଫସଲ।
ତା ବାରି ଧାରାରେ
ଭିଜି ମୁଁ ଲେପନ୍ତି
କାନନରେ ସବୁଜିମା,
କୁସୁମ ପରଶେ
ବିତରନ୍ତି ବାସ
ଆକଣ୍ଠ ପିଇ ସୁଷମା।
ଜଳଧାରା ସାଥେ
ଭାସି ମୁଁ ମିଶନ୍ତି
ନୀଳ ସାଗରରେ ଯାଇ,
ଲହରୀରେ ମିଶି
ଖେଳୁଥାନ୍ତି ଦୋଳି
ବେଳାଭୂଇଁ ଛୁଇଁ ଛୁଇଁ।
ରବିର ପରଶେ
ସାଗରର ନୀର
ବାଷ୍ପ ହୋଇ ଉଡିଯାନ୍ତା,
ନୀଳ ଆକାଶକୁ
ଚୁମିବାକୁ ସିଏ
ମୋତେ ତା ସାଥେ ନିଅନ୍ତା।
ଧରି ନୀରବାଷ୍ପ
ବାଦଲର ରୂପ
ମୋ ସାଥେ ଖେଳନ୍ତା ଖେଳ,
କୋଳେ ଧରି ମୋତେ
ବରଷି ବରଷି
ମିଶନ୍ତା ଜଳଧି ଜଳ।
ଉପରୁ ତଳକୁ
ତଳରୁ ଉପର
ଖେଳନ୍ତି ତା ସାଥେ ଦୋଳି,
ଜୀବନଟା ପରା
ଏକ ଦୋଳିଖେଳ
ସୁଖ ଆଉ ଦୁଃଖ ମିଳି।
ଜଳଚକ୍ର ପରି
ମଣିଷ ଜୀବନେ
ଆସେ ଉତ୍ଥାନ ପତନ,
ବିଚଳିତ ନୋହି
କରୁଥିଲେ କର୍ମ
ଶାନ୍ତିରେ ବିତିବ ଦିନ।