ଦୋ ଛକି
ଦୋ ଛକି
ସ୍ବପ୍ନ ମାଗିଲା,
ଖୋଲା ଆକାଶଟେ
ଉଛୁଳା ନଇଟେ
ଋତୁ ଶ୍ରାବଣଟେ
ଭରା ଫଗୁଣଟେ
ବାସ୍ତବତା ଟାଣି ଧରିଲା
ଆଉ ଥରେ ଭାଙ୍ଗିବିନି ବୋଲି
ସ୍ବପ୍ନର କାଉଁରୀ ଛୁଆଁରେ
ରାତିର ଗାଢ଼ ଅନ୍ଧକାରରେ
ସ୍ବପ୍ନକୁ ଅଣ୍ଡାଳିଲା ବେଳେ
ଆହୁରି ଟାଣି ହେଇଗଲି
କାହାର ତୀବ୍ର ଆକର୍ଷଣରେ !
ଅଳସ ଭାଙ୍ଗିଲା ସ୍ବପ୍ନ
ମୋ ଛାତି ରେ ଭରା ଦେଈ
ନିଜ ଜାଣତରେ
ବରବାଦ ହେବାକୁ
ସମର୍ପଣ ର ଥାଳିରେ
ନିଜକୁ ସଜେଇ
ରାଣ ଦେଲି ଆଜି
ଶେଷ ହେବା ପାଇଁ.
ବାସ୍ତବତା ପୁଣି ଟାଣିଲା
ମାଛି ଅନ୍ଧାର ରୁ
ଟିକେ ଆଲୁଅକୁ
ଭଙ୍ଗା ଥିବା ଯେତେ ସବୁ ହାଡ଼
ଆଉ ଥରେ ଖଂଜାରେ ପକେଇ
ମାଂସ ର ବହଳ ଆସ୍ତରଣରେ
କ୍ଷତ କୁ ଲୁଚେଇ
ଆଲୁଅ ର ଧାରେ କିରଣ
ହାତ ଧରି ନେଇଗଲା..
ଆଖିର ଅଳନ୍ଧୁ ତଳୁ
ଚାହିଁଲା ବେଳେ
ଝାପ୍ସା ଦିଶିଲେ
କାକର ଟୋପା
ଗଜୁରୁ ଥିବା ଆଶା
କାହା ଦରଭଙ୍ଗା ମନ
ପ୍ରଜାପତିର ପ୍ରତାରଣା
ଫୁଲର କୋମଳତା
ସମସ୍ତେ ନିଜ ମୌଳିକତ୍ୱ
ଧରି ଭାଙ୍ଗୁ ଭାଙ୍ଗୁ
ତଥାପି ଜାହିର କରୁଥିଲେ
ସେମାନେ ଅଛନ୍ତି
ଆଉ ରହିବେ ବି
ଏବେ ମୁଁ ଦୋ ଛକି ରେ
ରାତି ପାଇଁ ଅପେକ୍ଷା କରିବି
ନା, ସକାଳକୁ ପାଦ ବଢେଇବି.