ପ୍ରତୀକ୍ଷା
ପ୍ରତୀକ୍ଷା
ଚାହିଁ ରହିଚି ମୁଁ ଜାଳି ପ୍ରେମର ଦୀପାଳି
କେବେ ଭରିବ ମୋ ମନର କଳସି
ପ୍ରେମ ବାରି ଢାଳି
କୋକିଳ ଗାଉଚି ମୋର ମନ ବନେ ଉପବନେ
ବିରହ ବିଧୁରା ସେ ଯେ ଖୋଜେ କାରେ
ପ୍ରତି ତାନେ ତାନେ
ମୋ ପ୍ରାଣତନ୍ତ୍ରୀ ଥରିଯାଏ କାହାର ସ୍ଵନରେ
କେବେବି ଆସିବ ସେ ଏକ ନବ ପ୍ରଭାତରେ
ସ୍ବପ୍ନ ମୋର ତା ପାଇଁ ବିଶାଳ ରାଜ୍ୟର
ସାହାଜାହାନ ସେ ମୋ ତାଜମହଲର
ଝରଣାର କୂଳେ କୂଳେ ସେ ମୋର ପଥିକ
ମୋ ମନ ବନ୍ଦରର ସେ ସପନ ବଣିକ
ଭରିବ ସେ ମୋ ସୀମନ୍ତ ଆଣି ପ୍ରେମ ରଙ୍ଗ
ତା ବଂଶୀ ଗାଇବ ମୋ ପାଇଁ ସପ୍ତରାଗ
ଆସୁଛି ସେ ମୋ ସ୍ବପ୍ନରେ ମନ ଆକାଶରେ
ଆସିବ କେବେ ବାସ୍ତବରେ, ଏକ ମହାର୍ଘ ମୁହୂର୍ତ୍ତରେ
ମୋ ରଙ୍ଗ ଆକାଶର ସେଯେ ଇନ୍ଦ୍ରଧନୁ
ପ୍ରୀତି ପିୟାସିନି ମୁଁ ଯେ
ତୃଷ୍ଣା ରେ ତା ବିନୁ
ମୋ ମନ ଆକାଶରେ କାହା ପ୍ରତିଛବି
ସ୍ମୃତି ମହ୍ଲାରରେ ସେ ରଙ୍ଗାୟିତ ଛବି
ଅପେକ୍ଷା ମୋ ତା ପାଇଁ କେତେ ଫଗୁଣର
ପ୍ରତୀକ୍ଷା ମୋ ତା ପାଇଁ ଜନ୍ମ ଜନ୍ମାନ୍ତର