ଦିଲ୍ ଖୁସ୍ ର କାଈ ଚୋଟ
ଦିଲ୍ ଖୁସ୍ ର କାଈ ଚୋଟ
ବହୁ ଦିନ ପରେ ଚା’ ଦୋକାନରେ
ଛୋଟା ଭାଇ ସଙ୍ଗେ ଦେଖା,
ପଚାରିଲି ଭାଇ କେମିତି ଅଛ
ପିଲାଦିନୁ ଆମେ ସଖା ।
ପୂର୍ବପରି ସେ ମୁରୁକି ହସିଲେ
ଲୁଚାଇ ବାହାଡା ଦାନ୍ତ,
ଆଖି ମିଟି ମିଟି ଖନା ପାଟିରେ
କହିବା ପାଇଁ ବୃତ୍ତାନ୍ତ ।
ହଇରେ ରମେଶ ପିଲାଟି ଦିନରୁ
ଛୋଟା ତ ତୁହି ନ ଥିଲୁ,
କିପରି ଦୁର୍ଭାଗ୍ୟ କପାଳେ ଆସିଲା
ଗୋଡ ଛୋଟା କରି ଦେଲୁ ।
ମୁରୁକି ହସରେ ମୋ ଆଡକୁ ଚାହିଁ
ବଖାଣିଲା ନିଜ କଥା,
ମିଠା ଆମ୍ବ ଗଛ ଛୋଟା କରି ଦେଲା
କି କହିବି ମନ ବ୍ୟଥା ।
ଅଷ୍ଟମ ଶ୍ରେଣୀରୁ ତୁ ଚାଲିଗଲୁ
ସହରେ ପଢିବା ପାଇଁ,
ଆମ ବାରିପଟ ମିଠା ଆମ୍ବ ଗଛ
ଛାଡି ମୁଁ ପାରିଲି ନାହିଁ ।
ଦିଲ୍ ଖୁସ୍ ଆମ୍ବ ତୁ ତ ଖାଇଛୁ
ଜାଣୁ ତାର ଜାଦୁଗରୀ,
ଥରେ ଯେ ଚାଖିଛି ଭୁଲି ସେ ନ ପାରେ
ଦେଖିଲେ ହୁଏ ସେ ଝୁରି ।
ସେ ବର୍ଷ ଗଛେ ଭରା ଦିଲ୍ ଖୁସ୍
ପାଚିଲା ଆମ୍ବର ବାସ,
ଦେଖି ଶୁଙ୍ଘି ମୁଁ ନ ରହି ପାରିଲି
ଚଢିଲି ରୁନ୍ଧି ନିଃଶ୍ବାସ ।
ଡାଳ ପରେ ଡାଳ ଦୋହଲାଇ ଦେଲି
ଟପା ଟପ୍ ଝଡେ ଆମ୍ବ ,
ଆନନ୍ଦରେ ଡାଳ ଆଗକୁ ଚାଲିଲି
ଭୁଲି କାଣ୍ଡ ଜ୍ଞାନ ସର୍ବ ।
ଡାଳରେ ଭରତି କାଈ ପୁଡା ସବୁ
ଜାଣି ନ ହେଲି ସତର୍କ,
କାଈମାନେ ଆସି ଆକ୍ରମଣ କଲେ
ନ ମାନି କଲେ ବିତର୍କ ।
କାନରେ ନାକରେ ସଲ ସଲ କରି
ଚୋଟ ପରେ ଦେଲେ ଚୋଟ,
ଏକ ହାତେ ଡାଳ ଭିଡି ମୁଁ ଧରିଲି
ଅନ୍ୟ ହାତେ ମୋ ଆକଟ ।
ବଡ ନଟ ଖଟ ମିଠା ଆମ୍ବ କାଈ
ପ୍ୟାଣ୍ଟ ଭିତରେ ପଶି,
ସୁନାମଣି ଏବଂ ଅଣ୍ଡକୋଷକୁ
ଚୋଟ ମାରିଲେ କଶି ।
ସମ୍ଭାଳି ନ ପାରି ଦୁଇ ହାତରେ
ଦଳି ଦେଲି କେତେ କାଈ,
ଭାରସାମ୍ୟ ମୋର ଭୁଷୁଡ଼ି ପଡିଲା
କଚାଡି ପଡିଲି ଯାଇ ।
ଗୋଡ ହାଡ ଗୋଟେ ଚୁରମାର ହେଲା
ହସ୍ପିଟାଲେ ହେଲି ଉଭା,
ଭାଗ୍ୟକୁ ବଞ୍ଚିଲି ଘରକୁ ଫେରିଲି
ଛୋଟା ନାମ ଦେଲେ ବାବା ।
ଯେବେ ବି ଖାଉଛି ଦିଲ୍ ଖୁସ୍ ଆମ୍ବ
ସେ ଘଟଣା ମନେ ପଡେ,
ଦିଲ୍ ଖୁସ୍ ମୋତେ ଖୁସି କରୁଥାଏ
ଗଛେ ମୁଁ କେବେ ନ ଚଢେ ।
