ଦିଦି
ଦିଦି
ମନ ତ କହେ ମୁଁ ପୁଣି ତୋର ଗାଲରେ
ଆଉ କପାଳରେ ଗଭୀର ଚୁମ୍ବନ ଦେବି
ଆଉ ତୁ ବି ଗେଲ ରେ ମୋ ଗାଲ ଚିପିବୁ
ମାଆ ମୋତେ ମାରିଲେ ତୁ ଆପେ ଆପେ କାନ୍ଦିଯିବୁ
ମୋତେ ପୁଣି ସାଇକେଲ ପଛରେ ବସେଇ ତୁ ସ୍କୁଲ ନେବୁ
ମୋର ଛିଡ଼ା ବର୍ଣ୍ଣବୋଧକୁ ନେଇ ତୋ ନୂଆ ବହି ଦେବୁ
ମୋ ହାତ ଧରି ପୁଣି ଲେଖିବା ଶିଖେଇଦେବୁ
ଆଉ ମୋର ବଙ୍କା ବଙ୍କା ଅକ୍ଷର ଦେଖି ହସିବୁ
ମୋତେ କେହି ଚିଡ଼େଇଲେ ତୁ ରାଗି ଯିବୁ
କିନ୍ତୁ କୁହନ୍ତି ଅତୀତ ଆଉ ଫେରେନି
କେବେ ଭାବେ ତୋ ଦେହର ଛାଇ ହେବି
ତୋ ଦେହ ସାରା ବିଛେଇ
ଓଠ ପାଖକୁ ଯାଇ ହସ ହେବି
କେବେ ପୁଣି କୋହ ହେବି
ତୋ ଲୁହ ହେଇ ବୋହି ଯିବି
ଆହୁରି ବହୁତ୍ ସ୍ବପ୍ନ ଦେଖେ
ତୋତେ ସାନ ପିଲାଟି ଭାବେ
କେବେ କୋଳରେ ଖେଳେଇବି
କେବେ ତୋ କୋଳରେ ଶୋଇଯିବି
ପୁଣି ତୋ ପିଠିରେ ଚଢ଼ି ଦାଣ୍ଡ ଦୁଆର ବୁଲିବି
କିନ୍ତୁ କୁହନ୍ତି ଅତୀତ ଆଉ ଫେରେନି
କେବେ ଭାବେ ତୋ କେଶ କୁ
ତୋ ଓଢଣି ରେ ବାନ୍ଧି ଦେବି
ଆଉ ଓଢଣିକୁ କେଉଁ ଏକ ଖୁଣ୍ଟରେ
ତୁ ଯେବେ ଆଗକୁ ଯିବୁ
କେଶ ଟାଣିବ ରହିଯିବୁ
ମୁଁ ଦୂରରେ ରହି ହସୁଥିବି
ତୁ ଓଢଣି ଖୋଲିବୁ ଆଉ ମୋତେ ଗୋଡେଇବୁ
କିଛି ସମୟ ପରେ ଧରିନେବୁ
ମୋ ହାତକୁ ତୋ ଓଢଣିରେ ବାନ୍ଧିଦେବୁ
ବାଡି ଆଣେ ମଜା ଚାଖିବୁ ବୋଲି କହିବୁ
ତୁ ବାଡି ଆଣିଲେ ମୁଁ ମିଛରେ କାନ୍ଦିଯିବି
ତୁ କିନ୍ତୁ ସତରେ କାନ୍ଦିଯିବୁ
ଆଉ ଭଉଣୀ କେତେ ନିରୀହ ବୋଲି ଭାବିବି
କିନ୍ତୁ କୁହନ୍ତି ଅତୀତ ଆଉ ଫେରେନି
ଏବେ ତ ଇଚ୍ଛା ଅଛି ତୁ ଆଉ ମୁଁ ଗୋଟେ ଲୁଗାରେ ଘୋଡ଼ି ହେବା
ଗୋଟେ ହିଁ ଯୁଇରେ ଜଳିବା
ତୁ ମୋ ପାଖରେ ଶୋଇଥିବୁ
ଆଉ କାନରେ କାନରେ କହିବୁ
କିଏ ଅଲଗା କରିବ ପୁଣି ଦେଖା ହେବା ।