ଦିବ୍ୟଧାରା
ଦିବ୍ୟଧାରା
ଦୁନିଆ ଟା ହେଲେ ଅନ୍ଧାର କୁହୁଡି
ପିତାମାତା ଦିବ୍ୟଧାରା
ତାଙ୍କ ପରଶରେ ପ୍ରସ୍ଫୁଟିତ ଆମେ
ହସୁଛୁ ଦୁନିଆ ସାରା ।
ବିଶାଳ ସଂସାରେ ପାଇଛୁ ଜୀବନ
କୋଳରେ ମମତା ଭରା
ସେନେହ ଆଦରେ ଲାଳନ ପାଳନ
ବାଣୀ ଅମୃତର ଧାରା ।
କୋଟି ସୂଯ୍ୟସମ ହୃଦୟ ତାଙ୍କର
ଢାଳନ୍ତି ଆଶିଷ ଧାରା
ଯତନେ ନିଗାଡି ଲହୁ, ଲୁହ କେତେ
ଗଢନ୍ତି ନୟନ ତାରା ।
ଆଖିରେ ପଲକ ପଡେନାହିଁ କେବେ
ଖଟନ୍ତି ଜୀବନ ସାରା
ମାନ ସନମାନ ଫିକା ପଡିଯାଏ
ହୃଦ ହୁଏ ଆତ୍ମହରା ।
ଦରଦୀ ପ୍ରାଣରେ ଭରିଦିଅ ମଧୁ
କୁସୁମିତ ହେଉ ଧରା
ସକଳ କାମନା ପୂର୍ଣ୍ଣ ହେବ ନିଶ୍ଚେ
ହସୁଥିବ କଳାହୀରା ।
