ଦିବ୍ୟାଙ୍ଗ
ଦିବ୍ୟାଙ୍ଗ
ପୂର୍ବଜନ୍ମର କର୍ମଫଳ
ଭୋଗୁଛି ମୁଁ ଏହିକାଳ
ଏମିତି କି ଅପରାଧ ମୋର
ବକେୟା ଶାସ୍ତି ଭୋଗେ ଏ ଜନମର ।
କାହିଁ ଗଢିଲନି କରି ପୂର୍ଣ୍ଣାଙ୍ଗ
ଉଣା କରିଦେଲ ମୋ ଅଙ୍ଗ
ଦୟାର ପାତ୍ର ମୁଁ ସଭିଙ୍କର
ମନେ ବହ୍ନି ଜଳେ ସଦା ଯନ୍ତ୍ରଣାର ।
ଦେଖିଲେ ସଭିଏଁ କହନ୍ତି ମୋତେ
ସ୍ରଷ୍ଟାର ବିଚିତ୍ର ଲୀଳା ଏ ଜଗତେ
ଝରାଇ କରୁଣାର ଲୋତକ
କରି କିଛିକ୍ଷଣ ମୋ ପାଇଁ ଶୋକ
ପଛେ ଭୁଲିଯାନ୍ତି ମୋର ସବୁ ଦୁଃଖ ।
ଉପହାସ କରେ ଏଠି ଦାରିଦ୍ର ଭୋକ
ହାତ ଗୋଡ ନାହିଁ ବୋଲି ତୁମର
ସାଜ କି ଅନ୍ଧ ମୂକ ବଧିର ।
ବଡ ଦେଉଳେ ବସିଛ ହୋଇ ମଉନ
କି ଲାଭ ପାଇଲ ଦେଇ ଏ ଜୀବନ ।
ମାପୁଥିଲ ବୋଧେ ଦିନେ ମମତା ନାରୀମନର
ବନ୍ଦ କରି ବିଶ୍ଵକର୍ମାର ହାତୁଡି ପ୍ରହାର
ଜନ୍ମ ନେଲ ମୋ ପରି ଜାଣିଶୁଣି
ନିୟମ ଭାଙ୍ଗି ତୁମେ ପୁଣି ।
ତୁମରି ଆଶିଷେ କିନ୍ତୁ ସାରାଦିନ
ହିମାଳୟ ଲଙ୍ଘିପାରୁ ମୋ ମନ
କିଏ କହେ ଭିନ୍ନକ୍ଷମ ବିକଳାଙ୍ଗ
ଗର୍ବିତ ମୁଁ ତୁମପାଇଁ ସାଜି ଦିବ୍ୟାଙ୍ଗ ।