ଦଇବ ଦେଲା ବିଷ
ଦଇବ ଦେଲା ବିଷ
ନିରୀହ ନାଗୁଣୀ ମାରିଲା ଦି ଚୋଟ
ଟଳି ପଡ଼ିଲା କେଳା ପୁଅ
କେଳାର ତିରିଲା କାନ୍ଦେ କଇଁ କଇଁ
କହେ କି, ଦୋଷ କରିଥିଲି ମୁଇ
ବଇରୀ ସାଜିଲା ନାଗୁଣୀ ?
ନାଗୁଣୀ ବୋଇଲା ବିଷ ଜ୍ୱାଳେ ହେଉଥିଲି ଛଟପଟ
ସମ୍ଭାଳି ନ ପାରି ମାରି ଦେଲି ଦି ଚୋଟ,
ଦଇବ ରଖିଲା ମୋ ଦେହେ ବିଷ
ମୋର ଅବା କି ଦୋଷ।
କେଳାର ତିରିଲା ବୋଇଲା
ମୋ ଦେହେ ବି ଭରିଦେ ତୋ ଦେହ ବିଷ
ମିଳି ଯାଉ ମତେ ମୁକ୍ତିର ବାଟ,
ସ୍ବାମୀ ତ ମଲା ,ଆଉ କି ପାଇଁ ରଖିବି ମୋ ହିନି କପାଳି ପ୍ରାଣ ।
ନାଗୁଣୀ ବୋଇଲା ମୋ ଦେହରେ ନାହିଁ ଆଉ ବିଷ
ଏବେ ମୁଁ ଶକ୍ତିହୀନ ନିରୀହ ନାଗୁଣୀ କେଳାର ଦାସ ।
ଦଇବ ନେଲା ତୋ ସ୍ବାମୀ ଜୀବନ
ମୁଁ ତ,ଖାଲି ଗୋଟେ ମାଧ୍ୟମ ।
ବହୁ ଦିନ ପେଡ଼ିରେ ଥିଲି ବନ୍ଦୀ
ଆଜି ଠୁ ପାଇଲି ମୁକ୍ତି ।