ଦିଅ ନାଶି ମୋର ଅହଂ
ଦିଅ ନାଶି ମୋର ଅହଂ
ଅଜବ ଆତଙ୍କେ ମୁହିଁ ବିଚଳିତ ନାଶ ମୋର ଅହଙ୍କାର,
ତୁମେ ମହାପ୍ରଭୁ ଗରବ ଗଞ୍ଜନ ନାଶ ଅହଂ ଚକ୍ରଧର ।
ଆତ୍ମା କବଳିତ ସଂସାର ଜାଲରେ ଶିକାରୀ ମୋର ଶରୀର,
ବଳିଷ୍ଠ ବାହୁରେ କେତେ ହତ୍ୟା କରି ପାଳୁଛି ମୁହିଁ ଉଦର ।
ମୋହ ମାୟା ମୋତେ କରିଛି ବିବଶ ଜଳଯାତ୍ରୀ ସଂସାରର
ରଖ ବାହୁ ତଳେ ଆହେ ମହାବାହୁ ପ୍ରାର୍ଥନା କର ସ୍ୱୀକାର ।
ତୁମରି ପରଶେ ଲଭିଛି ସର୍ବଶ୍ରେଷ୍ଠ ପୁନର୍ଜନ୍ମ ପ୍ରସ୍ତର,
ଦିଅ ଦିବ୍ୟଦୃଷ୍ଟି ମୁଁ ନୁହଁ ସଞ୍ଜୟ ବିଦୂର କି ଯୁଧିଷ୍ଠିର ।
ପୁନର୍ବାର ଲୋଡ଼ା ସେ ମହାଭାରତ ନୀରବ ଯୁଦ୍ଧ ସମର,
ସଂଶୟ ଜାଲରେ ବୀର ପାଣ୍ଡୁ-ପୁତ୍ର ସାଜ ପୁଣି ସହୋଦର ।
ରହିଛି ଓଳିଏ ଭାରତ ସମର ଦିଅ ଆତ୍ମଜ୍ଞାନ ଗୀର
ରକ୍ତନଦୀ ନୁହଁ ନିର୍ମଳ ହୃଦୟ ବିପ୍ଳବର ସୂତ୍ରଧାର ।
ସବୁରି ମୂଳରେ ମୋର ଅହଙ୍କାର ଉଭା ପ୍ରତୀତ ପ୍ରାଚୀର,
ଆହେ ଆତ୍ମଜ୍ଞାନୀ ହୁଅ ହେ ସାରଥୀ ମୋର ହୃଦୟ ରଥର ।
