ଧରଣୀର ଖେଦ
ଧରଣୀର ଖେଦ
ଧରଣୀରାଣିର ନୀଳପାଟ୍ଟଶାଢୀ
ପଡିଛି ଆଜି ମଳିନ
ହସ ହସ ମୁହଁ ବିବର୍ଣ୍ଣ ଦିଶୁଛି
ଚକ୍ଷୁ ଲୋତକ ପୂର୍ଣ୍ଣ।
କାହିଁଗଲେ ବ୍ରହ୍ମା,ବିଷ୍ଣୁ,ମହେଶ୍ବର
ପାରିବେକି ରକ୍ଷାକରି
ଅତ୍ୟାଚାରିତା,ବିବସିତା,ଧର୍ଷିତା
ଲୋତକପୂର୍ଣ୍ଣ ମୋ ଆଖି।
ଶସ୍ୟଶ୍ୟାମଳା ମୋ ସୁନ୍ଦର ଶରୀର
ଦେଖ ଧ୍ବଂସପ୍ରାପ୍ତ ଆଜି
କଳକାରଖାନା ଚିମ୍ ନିର ଧୂଆଁ
ନାସା ହୋଇଯାଏ ରୁନ୍ଧି।
ଗାଡିଘୋଡାର ଘୁଁ ଘାଁ ବେସୁରା ଶବ୍ଦ
ଘୁରାଇ ଦିଏ ମୋ ମଥା
ନିର୍ଜନସ୍ଥାନ ଆଜି ସାତସପନ
ରକ୍ଷାକର ତିନିମଥା।
ନଦୀଜଳେ ଭାସେ ପଚାସଢା ଶବ
ଅଳିଆରେ ପରିପୂର୍ଣ୍ଣ
ମୋ ନୀଳଆକାଶ ଆଜି ପ୍ରଦୂଷିତ
ଖାଲି ଧୂମ ଖାଲି ଧୂମ।
ଧର୍ମ ନାମରେ ଏବେ ଅଧର୍ମ ବେଶି
ଏ ସାମ୍ପ୍ରଦାୟିକ ଦଙ୍ଗା
ମିଥ୍ୟାବଡିମା ଓ ମିଥ୍ୟାଗାରିମାରେ
ମନୁଷ୍ୟ କରେ ହଙ୍ଗାମା।
ମାନବିକତାଟା ବଳି ପଡିଯାଏ
ମନୁଷ୍ୟର ଲୋଭ ଆଗେ
ଖାଦ୍ୟରେ ବିଷାକ୍ତ ବିଷ ସେ ମିଶାଇ
ବିକ୍ରିକରେ ଭାରି ଦମ୍ଭେ।
ପରଉପକାର ,ନିଃସ୍ବାର୍ଥପରତା
ନ୍ୟାୟ,ଧର୍ମ ଆଉ ଶାନ୍ତି
ଦୂରେଇ ଗଲାଣି ମନୁଷ୍ୟ ମନରୁ
ରକ୍ଷାକର ବେଦପତି।
ବିଶ୍ବାସେ ମଣିଷ ଦିଅଇଟି ବିଷ
ଭାଇକୁ ମାରଇ ଭାଇ
ବଡଙ୍କୁ ସମ୍ମାନ ପିତାମାତାସେବା
ଅତିଥି ସେବା ନାହିଁ।
ପରିବାର ସ୍ନେହଁ,ଦମ୍ପତିଙ୍କ ପ୍ରେମ
ପଡିଛି ତ ଆଜି ବନ୍ଧା
ସ୍ବାଧିନତା ନାଁରେ ମଣିଷଟା ଆଜି
ପରାଧୀନ ବେଡି ଛନ୍ଦା।
ପ୍ରଗତି ନାମରେ ସମୟକୁ ଜିଣି
ସମୟକୁ କରେ ନଷ୍ଟ
ଟେକ୍ନୋଲୋଜିର ଅପବ୍ୟବହାରଟି
ବୁଦ୍ଧି କରେ ତା'ର ଭ୍ରଷ୍ଟ।
ସବୁଥାଇ ମଧ୍ୟ ମଣିଷଟା ଆଜି
ହୋଇଅଛି ବେସାହାରା
କୁହ ବେଦପତି କିପରି ସହିବି
ମୁଁ ପରା ସଭିଙ୍କ ମାତା?
ଚକ୍ଷୁ ଖୋଲିଣ ବେଦପତି କହିଲେ
ସର୍ବସଂହା ପୃଥିବୀଗୋ
ଚିନ୍ତାଦିଅ ତୁମ ଦୂରକରି ମାତା
ଆଖିଲୁହ ପୋଛିଦିଅ।
ନିଜ କଲା କର୍ମ ମଣିଷ ଭୋଗିବ
ସମୟ ଦେବ ଜବାବ
ପ୍ରକୃତିର ଅପବ୍ୟବହାର ତା'ର
ନିଶ୍ଚୟ କାଳ ହୋଇବ।
