Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jagannath Barik

Abstract

4.5  

Jagannath Barik

Abstract

ସ୍ଵାଗତ ବର୍ଷା ସୁନ୍ଦରୀ

ସ୍ଵାଗତ ବର୍ଷା ସୁନ୍ଦରୀ

1 min
372


ବାରିଦ ରଥରେ ବରଷା ରାଣୀ

ଆସିଗଲା ମେଘ ଓଢ଼ଣୀ ଟାଣି ।


ଝୁମ୍ ଝୁମ୍ ଝୁମୁକା ରଞ୍ଜି ପୟରେ

ବିଜୁଳି ହସ ଫୁଟାଇ ଅଧରେ ।


ଘଡ଼ଘଡ଼ି ବାଜା ରୋଷଣି କରି

ମୌସୁମୀ ସଖୀଙ୍କୁ ସଙ୍ଗରେ ଧରି ।


ଛୁଟାଇ ରିମ୍ ଝିମ୍ ଗୀତର ସ୍ୱର 

ଫୁଟାଇ କଦମ୍ବ ମଲ୍ଲୀ ଟଗର ।


ଟପର ଟପର ବରଷେ ପାଣି

ସାରୁ ବୁଦା ମୂଳେ ବେଙ୍ଗୁଲି ରାଣୀ ।


ପହିଲି ବରଷା ପରଶ ପାଇଁ 

ୠତୁମତୀ ରସା ଥିଲା ଅନାଇ ।


ମାଟି ବରଷାର ମଧୁ ମିଳନ

ଉଦ୍ଭିଦ ଜଗତ ହେଲେ ଉତ୍ପନ୍ନ ।


ହରିତ କେଦାରେ ଶୋଭିତ ମହୀ

ଶ୍ୟାମଳ ସୁଷମା ବନସ୍ତ ବହି ।


ପୂର୍ଣ୍ଣ ଜଳାଶୟ କୂପ ସରିତ

ଆନନ୍ଦେ କୃଷକ ଗାଇଲା ଗୀତ ।


ଇନ୍ଦ୍ରଧନୁ ସାଜେ ନଭେ ତୋରଣ

ଜୀମୂତ ଭାଲରେ ପାଟ ବସନ ।


ପର୍ବତ କନ୍ଦରୁ ଝରେ ନିର୍ଝର

ସ୍ରୋତସ୍ୱିନୀ ସ୍ରୋତ ହୁଏ ପ୍ରଖର ।


ଛତୁ ଟେକେ ଛତ୍ର ଅବନୀ ପରେ

ସାଧବ ବୋହୂର ସୁଷମା ଝରେ ।


ରବ କରନ୍ତି ଝିଙ୍କାରି ମଣ୍ଡୁକ

ବାଉଁଶ ବଣରେ ଡାକେ ଡାହୁକ ।


ବରଷା ରାଣୀର ସ୍ଵାଗତ ପାଇଁ

ମୟୂର ଉଲ୍ଲାସେ ଥାଏ ଅନାଇ ।


ସାଇଁ ସାଇଁ ବହେ ଶୀତଳ ବାଆ

ବରଷା ପାଇଁକି ବାହକ ଆହା ।


କାଦମ୍ବିନୀ କୋଳେ ଖେଳେ ଦାମିନୀ

ପ୍ରକୃତି ସାଜଇ ବର ବର୍ଣ୍ଣିନୀ ।


ରଥରେ ବସିଲେ କଳା ଗୋବିନ୍ଦ

ବନ୍ଦେ ଚକାଡୋଳା ପଦାରବିନ୍ଦ ।


ସ୍ଵାଗତ ସ୍ଵାଗତ ବର୍ଷା ସୁନ୍ଦରୀ

ବିଶ୍ଵହିତେ ଆସୁଥାଅ ଏପରି ।


Rate this content
Log in