STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଚୋରାବାଲି

ଚୋରାବାଲି

1 min
249

କ୍ଷୀଣ ନିଶ୍ୱାସର ହିମ ସଂହିତାରେ 

ଉଷ୍ମ ଉଲ୍ଲାସରୁ ପଦେ,

ସ୍ମୃତି ତୁମେ ସାଜ ବେଦନା ହାରକ

ଜୀବନଟା ଯେବେ ବାଧେ। 


ଆଷାଢ଼ କବିତା ଆସରରେ ତୁମେ

କାଳଜୟୀ କାବ୍ୟଟିଏ,

ତୁମ ବିନା ସ୍ଫୁରେନାହିଁ ଶବ୍ଦ ଯେବେ

ଆଶା ମରି ମରି ଯାଏ। 


ହାଏ ସେ ଅନୁଢା ମୁହୂର୍ତ୍ତ ଆଜିବି

କୁଆଁରୀ ରହିଛି ସତେ,

ପ୍ରତିଥର ନବ ରୂପ ଧରି ଆସି

ଚମକାଇ ଦିଏ ମୋତେ। 


ସମୟର ଶକ୍ତ ତୋଫାନରେ ଯେବେ

ରଙ୍ଗ ସବୁ ଉଡ଼ି ଯାଏ,

ଇନ୍ଦ୍ରଧନୁ ମେଲି ମୃଦୁ ପଦେ ଆସ

ମେଘ ଯେବେ ଢାଙ୍କି ଦିଏ। 


ଶୀତେ ସଙ୍କୁଚିତ ପରାଣରେ ତୁମେ

ଫଗୁଣର ଫୁଲ ଛିଟା,

ଝାଞ୍ଜି ମୟ ଏଇ ସଂସାର ଜଞ୍ଜାଳେ

ମୌସୁମୀର ଆର୍ଦ୍ର ଛିଟା। 


କଦବା କ୍ଵଚିତ ଜୁଆରିଆ ହୋଇ

ଆଖି କୋଣୁ ଝରି ଆସ,

ଯନ୍ତ୍ରଣାର ଏକ ଧାର ମେଲି ଦେଇ

କେଜାଣି କି ଥାଏ ଆଶ !


ସମୟର ଦାମୀ ମୁହୂର୍ତ୍ତ ମାନଙ୍କୁ

ଚୋରାଇ ରଖିଛ ବୋଲି,

ତୁମ ବଜାରରେ ଭିଡ଼ ଏତେ ସିନା

ତୁମେ କିନ୍ତୁ ଚୋରାବାଲି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract