STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଅପହଞ୍ଚ ସ୍ଵପ୍ନ

ଅପହଞ୍ଚ ସ୍ଵପ୍ନ

1 min
272

ଏଣେ ତେଣେ ଵିଛାଡ଼ି ହୋଇ ପଡିଥିବା

ଇତସ୍ତତଃ ଚୁନା ଚୁନା ଖୁସି ସବୁକୁ ଅନାଦର କରି

ମୁଁ ଧାଇଁଥିଲି ସେ ଇନ୍ଦ୍ରଧନୁ ପଛେ

କେଜାଣି କି ଅଚିହ୍ନା ସୁଖର ରଙ୍ଗ ପ୍ରଲୋଭନେ !

ଏକ ଆଖିଝଲସା ମାୟା ଛବିରେ ଖୋଜି ବସିଥିଲି

ମୋ ଅଗଣାରେ ଭରିବାକୁ ଏକ ରଙ୍ଗୀନ ଆକାଶ

କିନ୍ତୁ ଦିଗନ୍ତର ଧୁଆଁରେ ମୁଁ ଧନ୍ଦି ହେଲି ଯେବେ

ବୁଝିଲି ମୁଁ ହରାଇଛି ହାତପାହାନ୍ତା ଉଲ୍ଲାସ ମାନ

ଏକ ନଥିବାପଣର ମିଛ ଆଶ୍ୱାସନାରେ। 


ବାଟ ସବୁ ସରିଗଲା ପରେ 

ଆଉ ବା କି ଲାଭ ପଛକୁ ଅନାଇ 

ନିଜ ପୋଡ଼ା ମନକୁ ଦରାଣ୍ଡିବାରେ

ଯେଉଁଠି ଛଟପଟ ହେଉଥାନ୍ତି ଅସହାୟ ଅବଶୋଷ ମାନେ

ଅପ୍ରାପ୍ତିର ହାହୁତାଶ ଶ୍ମଶାନ ନିଆଁରେ। 

ସ୍ଵପ୍ନ ଯେବେ ପାଲଟିଯାଏ ଅପହଞ୍ଚ 

ବାସ୍ତବତାର ପରିଧି ସେପାଖେ

କଳ୍ପନାର ଇନ୍ଦ୍ରଜାଲରେ ଭ୍ରମିତ ହୁଏ ଜୀବନ

ଗୋଟି ଗୋଟି ମୁହୂର୍ତ୍ତ ମାନଙ୍କୁ ହଜାଇ ଦେଇ

ଭାବନାର କୁହୁକ ବନରେ। 


ଆସ ସେଇ ଅପହଞ୍ଚ ଉଲ୍କା ମାନଙ୍କୁ ଏଡେ଼ଇ ଦେଇ

ଆଙ୍କି ବସିବା ଚିକମିକ ତାରାଫୁଲ ମାନ

ନିଜ କାରିଗରୀର ଯଥା କୌଶଳରେ

ପ୍ରାପ୍ତିର ପାରିଜାତ ଫୁଟୁ କି ନଫୁଟୁ

ଖୁସିର ଘାସଫୁଲ ନିଶ୍ଚୟ ଫୁଟିବ ତୁମ ଚଲାବାଟର ଦୁଇ ପ୍ରାନ୍ତରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract