ରଜ ପରବ
ରଜ ପରବ
ବାର ମାସରେ ତେର ପରବ ଆମର
ଓଡ଼ିଆ ସଂସ୍କୃତିରେ
ଦିନସବୁ କଟିଥାଏ ସୁସ୍ୱାଦୁ ବ୍ୟଞ୍ଜନଯୁକ୍ତ
ଖାଦ୍ୟ ପ୍ରସ୍ତୁତିରେ ।
ସେମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ ରଜ
ପରବ ତ ଆମର
ପରବ ହୁଏ ତିନି ଦିନ ଧରି ସଂକ୍ରାନ୍ତି ପୂର୍ବ
ଦିନରୁ ଜ୍ୟେଷ୍ଠ ମାସର ।
ରଜର ପୂର୍ବ ଦିନଟି ରଜ ପରବ ପାଇଁ
ହୁଏ ପ୍ରସ୍ତୁତିର ଦିନ
ତେଣୁ ତାହାକୁ କୁହା ଯାଇ ଥାଏ ରଜର
ସଜବାଜ ଦିନ ।
ଏହି ତିନି ଦିନ ଝିଅ, ବୋହୂ, ଭଉଣୀ,
କନିଆ ଓ ସ୍ତ୍ରୀ ଜାତିକୁ
ବିଶ୍ରାମ ଦିଆ ଯାଇଥାଏ, କରି ନଥାନ୍ତି
କୌଣସି ପ୍ରକାର ଗୃହ କର୍ମକୁ ।
ବନ୍ଦ ରହେ ଘରର ସବୁ ଘର କାମ
ରୋଷେଇ, କାଟିବା ,ବାଟିବା
ପୂର୍ବ ଦିନରୁ ପ୍ରସ୍ତୁତ ବିଭିନ୍ନ ଧରଣର
ପ୍ରସ୍ତୁତ ଖାଦ୍ୟ ଖାଇ ବୁଲିବା ।
ପହିଲି ରଜ ଦିନ ବଡି ଭୋରରୁ ଉଠି
ମୁଣ୍ଡ କୁଣ୍ଡାଇ, ଗାଧୋଇ ପାଧୋଇ,
ସଜବାଜ ହୋଇଥାନ୍ତି, ନୂଆ ବସ୍ତ୍ର ପିନ୍ଧି, ଚନ୍ଦନ
କୁଂକୁମ ଟିପା ଅଳତା ଲଗାଇ ।
ବାପ ଭାଇ ଆଦି ପୁରୁଷ ମାନଙ୍କର ଦ୍ଵାରା
ପ୍ରସ୍ତୁତ ଦୋଳିରେ
ତିନି ଦିନ ଯାକ ମଜାରେ ସମୟ କାଟନ୍ତି
ଝୁଲି ଝୁଲି ଆନନ୍ଦରେ ।
ଭୁଲି ହେଉନି ରଜ ପୋଡ଼ପିଠା, କାକରା,
ଆରିଷା, ଭୁଜା ଓ ଚୁଡ଼ା ଭଜା
ମନେ ପଡୁଛି ବରଗଛ ଓହଳରେ ଝୁଲା ଚକ୍ରି
ଦୋଳି ବାଉଁଶଦୋଳିର ମଜା ।
ଦୋଳି ଝୁଲାରେ ଗାଁ ଝିଅ ବୋହୁ
ସବୁ ରଜ ପାନ ଖାଇ ଖାଇ
ମଉଜରେ ତିନି ଦିନ ଯାକ ସମୟ
କାଟନ୍ତି ସଜବାଜ ହୋଇ ।
ଗୀତ ଗାଇ ଝୁଲନ୍ତି
ଆଜି ତ ପହିଲି ରଜ,
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ସୁନା ମୁକୁଟ
ମୋ ଭାଉଜ ପିନ୍ଧନ୍ତି ପାଟ
ରଜ ଦୋଳି ଖେଳିବା ଆସ
ହୋଇ ଆମେ ସଜବାଜ ।
ଏକାଠି ହୋଇ ପାଳନ୍ତି ରଜ ପର୍ବଟିକୁ
ଗାଁର ସମସ୍ତ ଝିଅ ବୋହୂ
ଉପଭୋଗ କରନ୍ତି ଦୋଳିରେ ସେ ଧନୀ
କିବା ଗରିବ ହେଉ ।
ରଜ ପର୍ବ ସମାପନ ହୁଏ ପୂଜା କରି
ନାରୀ ରୂପୀ ପୃଥିବୀ ମାତାକୁ
ରଜ ପରଦିନ ଚାଷୀଭାଇ ହାତ ହତିଆର
ଧରି ବାହାରେ ନିୟମିତ କାମକୁ ।