ଧନ ଓ ଧର୍ମ
ଧନ ଓ ଧର୍ମ
ଆରେ ଆରେ ନର ସମ୍ପାଦନ କର
ସାଧ୍ଯ ମତେ ପୁଣ୍ଯ କର୍ମ,
ତ୍ୟାଗପୂତ କର୍ମ କରରେ ମାନବ
ବିକଶିତ କର ପ୍ରେମ l
ଆମେ ତୁମେ କାହିଁ ଗର୍ବ କରୁଅଛ
ମରୀଚିକା ଧନ ପାଇଁ,
ମନେ ରଖିଥାଅ ଅସ୍ଥାୟୀ ଏସବୁ
ଗପ କହୁନାହିଁ ମୁହିଁ l
ବୈରାଗ୍ୟ ନୁହଁଇ ଧନ ପରିବାର
ଛାଡି ଶ୍ମଶାନକୁ ଯିବା,
ପ୍ରକୃତି ବୈରାଗ୍ୟ ସବୁ ଦୁର୍ଗୁଣକୁ
ପରିତ୍ୟାଗ କରିଦେବା ।
ଦୟାଶୀଳ ହୋଇ କରିବା କର୍ମ
ପରୋପକାରୀଟେ ସାଜି,
ଚରିତ୍ର ଗଢ଼ିବା ସ୍ଵଚ୍ଛ ଓ ପବିତ୍ର
କୁକର୍ମେ ନ ଯିବା ମଜ୍ଜି l
ଆହରଣ କରିବା ଉତ୍ତମ ବଚନ
ନିଃସୃତ ଅନ୍ତର ମଧ୍ୟୁ,
ଅପର ପକ୍ଷରେ ଦେବା ନାହିଁ କାନ
ମନ୍ଦକଥା ଶୁଣିବାକୁ l
ଏହିପରି ଆମେ ଗଢ଼ିବା ନିଜକୁ
ହୋଇ ଦିବ୍ୟତ୍ୱ ହୃଦବୋଧ,
ଅର୍ଜିବା ଯେତେ ସବୁ ସତ୍-ଜ୍ଞାନ
ଜୀବନେ କରିବା ଉପଯୋଗ l
ମଣିଷ ଜନମ ପାଇଛନ୍ତି ସଭିଏଁ
ଏହା ନୁହଁ ଛୋଟ କଥା,
ନିଜ ନିଜ କର୍ମ କରିବା ଆମେ
ଦୂର କରିବା ପର ବ୍ୟଥା l
ଜୀବ ଚାଲିଯିବ କେଉଁ ମୁହୂର୍ତ୍ତରେ
ନ ଜାଣେ କେ ଏହି କଥା,
ରହିଥିବ ଖାଲି ସୁକର୍ମ ଆମର
ନୂଆଁଇବ ପର ମଥା l
ଆସୁରିକ ବୃତ୍ତି ଅଛି ଯେତେ ଗୋଟି
ସେ ସବୁ କରିବା ଦମନ,
ଧର୍ମ ପଥକୁ ଅଙ୍ଗୀକାର କରି
ଯାପନ କରିବା ଜୀବନ l
ମଣିଷ ଜନ୍ମ ସାର୍ଥକତା ପାଇଁ
କରିବା ସଭିଏଁ ସୁକର୍ମ,
ଶରୀର ମାଟିରେ ମିଶିଲେ ବି ସୁଦ୍ଧା
ରହିଥିବ ଆମ୍ଭ ଧର୍ମ l
