STORYMIRROR

Lata Behera

Abstract

4  

Lata Behera

Abstract

ଧରଣୀ

ଧରଣୀ

2 mins
317

ଧରଣୀ କୋଳରେ ଜନମ ଲଭିଣ

    ଜୀବନ ହେଇଛି ଧନ୍ୟ 

ତା ପାଣି ପବନେ ଶରୀର ମୋ ଗଢା

    ତା ବୁକୁରେ ବାସସ୍ଥାନ ।


ତାହାରି ଛାତିରେ ପାଦ ରଖି ମୁହିଁ 

    ଶିଖି ଅଛି ଆଜି ଚାଲି

ସ୍ନେହମୟୀ ସେ ତ ମମତାମୟୀ ମା'

     ଯିବିନି କେବେ ବି ଭୁଲି ।


ତାହାରି ମାଟିର ଫୁଲ ଫଳ ଶସ୍ୟ 

    ଖାଇ ବଞ୍ଚିଛି ମୁଁ ଆଜି

ନୀରୋଗ ରହିଛି ସୁସ୍ଥ ସେ ରଖିଛି

    ଦୁନିଆ ପାରୁଛି ଦେଖି ।


ତାହାରି ବୁକୁର ନିର୍ଝରିଣୀ ଝର

    ସ୍ରୋତସ୍ୱନୀ ବୋହୁଅଛି

କୋଟି କୋଟି ଜୀବ ଜନ୍ତୁମାନଙ୍କର

    ତୃଷ୍ଣା ସେ ମେଣ୍ଟାଉ ଅଛି ।


ତାହାରି କୋଳରେ ଜନ୍ମି ଛୋଟ ଚାରା

     ଜଙ୍ଗଲ ସୃଷ୍ଟି ହେଇଛି

ସେଇ ଜଙ୍ଗଲ ଯେ ମଣିଷମାନଙ୍କ

    ଉପକାର କରୁ ଅଛି ।


ତା ଦେହରୁ ସୃଷ୍ଟି ଔଷଧୀୟ ବୃକ୍ଷ 

    ଆରୋଗ୍ଯ ଜୀବ କରୁଛି 

ସବୁଜ ସୁନ୍ଦର ଘାସ ଗାଲିଚାଟି

    ମନ ପ୍ରାଣ ମୋହି ଅଛି ।


ବାୟୁମଣ୍ଡଳକୁ ରକ୍ଷା ସେ କରୁଛି

    ତା ପାଇଁ ବରଷା ହୁଏ

ଅଙ୍ଗାରକାମ୍ଳକୁ ଶୋଷି ନେଇ ସିଏ

    ଅମ୍ଳଜାନ ଦେଇ ଥାଏ ।


ହେଲେ ଏଇ ସ୍ୱାର୍ଥୀ ନର ନା ବୁଝୁଛି 

    ବୃକ୍ଷ ହାଣି ପକାଉଛି

ଧରଣୀ ସୌନ୍ଦର୍ଯ୍ଯ ନଷ୍ଟ କରି ସିଏ

    ମରୁଡି ସୃଷ୍ଟି କରୁଛି ।


ଏଇ ଧରଣୀର ଝାଟି ମାଟି ଘର

    କି ସୁନ୍ଦର ଦେଖା ଯାଏ

ନୂଆଣିଆ ଚାଳ ଛପରର ପାଣି

    ଟୋପା ଧରଣୀକୁ ଛୁଏଁ ।


ଆକାଶରୁ ଯେବେ ବରଷା ଝରଇ

    ଧରଣୀ ସ୍ୱାଗତ କରେ

ତାର ସେ ପରଶେ ବିଭୋର ହେଇ ସେ

    ମିଠା ମିଠା ସ୍ମୃତି ଭରେ ।


ତାହାରି କୋଳରେ ଜନ୍ମି କେତେ ବୀର

    ଅମର ହୋଇଣ ଛନ୍ତି 

କେତେ ବୀରା ନାରୀ ବୀରର ଜନନୀ

     ଯଶ କୀର୍ତ୍ତି ରଖିଛନ୍ତି ।


ବରଷା ଋତୁରେ ଧରଣୀ ବକୁରେ

    ପାଣିର ଲହଡି ଖେଳେ

ଚାରିଆଡ ଜଳ ମଗ୍ନ ହେଇଥାଏ

    ଡଙ୍ଗା ଭାସୁ ଥାଏ ଜଳେ ।


ସବୁଜ ଶ୍ୟମଳେ ହସେ ଏ ଧରଣୀ

    ଫୁଲରେ ସଜାଏ ଗଭା

ମଳୟ ସାଥିରେ ନାଚି ନାଚି ଖେଳେ

    ଧରଣୀର ବଢେ ଶୋଭା ।


ଧରଣୀ ବୁକୁରେ ଚାରି ଆଡେ ପାଣି

    ପାଣିରେ ଆକାଶ ଦିଶେ

ପବନଟି ଯେବେ ଛୁଇଁ ଛୁଇଁ ଯାଏ

    କୂଳ ଛୁଇଁ ସିଏ ହସେ ।


ବରଷା ଋତୁରେ ଧରଣୀ ବୁକୁରେ 

    କେତେ ଛତୁ ଫୁଟି ଥାଏ

ଶୀତ ଆସିଗଲେ କାକରର ଟୋପା

    ଧରଣୀରେ ପଡିଥାଏ ।


କେତେ ଯେ ଫସଲ ଧରଣୀ ବୁକୁରେ 

    ଶୀତ କାକରରେ ହୁଏ

ସୁନାର ଫସଲେ କ୍ଷେତ ହସୁଥାଏ

     କୁହୁଡି ଧରଣୀ ଛୁଏଁ ।


ବସନ୍ତ ଆସିଲେ ଧରଣୀ ସୁନ୍ଦର 

     କୋଇଲିର କୁହୁ ଶୁଭେ

ନବ ପଲ୍ଲବିତ ଫୁଲ ଫଳ ଡାଳେ

    ଧରଣୀ ଆମର ହସେ ।


ତାହାରି କୋଳରେ ସଭିଁଏ ଜନ୍ମନ୍ତି

     ସଭିଁଙ୍କି କୋଳେଇ ନିଏ

ଧୈର୍ଯ୍ୟଶୀଳା ସେ ତ ସ୍ନେହମୟୀ ମା

     ତା' ପରି ହୋଇବ କିଏ ।


କୀଟଠୁ ବ୍ରହ୍ମ ତା ସମସ୍ତେ ସନ୍ତାନ 

     ଯୋଗାଇ ଥାଏ ଆହାର

ସଭିଁଙ୍କି ନିଜର କରେ ଆପଣାର

    କାହାକୁ କରେନି ଦୂର ।


ଧରଣୀ ମାଆର ମାଟିରୁ ଅନେକ

     ଦେବା ଦେବୀ ମୂର୍ତ୍ତି ହୁଏ

ତାହାରି ଦେହରେ ନଦ ନଦୀ ଗିରି 

    ବନ ଶୋଭା ପାଉଥାଏ ।


ତାହାରି ଗର୍ଭରେ ଅନେକ ଖଣିଜ

    ସୁନା ରୂପା ହୀରା ମୋତି

କେତେ ଯେ ଧାତବ ଲବଣ ଯେ ଥାଏ

   ଅମୂଲ ଭରା ସମ୍ପତ୍ତି ।


ଜଗତ ଜନନୀ ସୀତା ଠାକୁରାଣୀ 

     ତା କୋଳରୁ ଜନ୍ମ ହେଲେ

ଶେଷରେ ଧରଣୀ ମାଆ ପୁଣି ତାଙ୍କୁ

     କୋଳରେ ଆଶ୍ରୟ ଦେଲେ ।


ଜନମ ବେଳରେ କେଳେଇ ନିଏ ସେ

    ମରଣ ବେଳେ ବି ସିଏ

ତାହାରି କୋଳର ମଶାଣୀ ଜୁଈରେ

     ଶେଷରେ ପାଉଁଶ ହୁଏ ।


ତାହାରି କୋଳରେ ଅବତରୀ ପ୍ରଭୁ

    ପାପୀ କରନ୍ତି ସଂହାର

ତା କୋଳେ ଜନମି ଧନ୍ୟ ହେଇଛି ମୁଁ  

     ତା ପାଦେ କୋଟି ଜୁହାର ।


Rate this content
Log in

Similar oriya poem from Abstract