ଧର୍ମପଦ
ଧର୍ମପଦ
କୁନା, କୁନି ଭାଇ ଭଉଣୀ
ମାଆ ପାଖରେ ବସିଲେ ତୁନି
ମାଆ ପଚାରିଲେ, "କ'ଣ ହେଲା" ?
ଗପଟେ ଶୁଣିବୁ, କୁନି କହିଲା
ମାଆ କହିଲେ , ହଉ ତେବେ
କହୁଛି କାହାଣୀ ଶୁଣ ଏବେ ;
ତୁମ ପରି ଗୋଟେ ପିଲା ଥିଲା
ତା' ମାଆ ସାଥେ ସେ ରହୁଥିଲା
ନାମଟି ତା'ର ଥିଲା ଧର୍ମପଦ
ସେବୁଥିଲା ସଦା ମାତୃ-ପାଦ
ତା' ପିତା ଗଢୁଥିଲେ କୋଣାରକ
ରଖିବାକୁ ଶିଳ୍ପୀ-କୂଳ ଟେକ
ବାର ବର୍ଷ ହେବ ଘର ଛାଡ଼ି
ଚନ୍ଦ୍ରଭାଗା କୂଳେ ଥିଲେ ପଡ଼ି
ଦେଖି ନ ଥିଲେ ସେ ଧରମାକୁ
ଧରମା ବି ଖୋଜୁଥିଲା ତା' ବାପାଙ୍କୁ
ଦିନେ ଧରମା ମାଆ ପାଶେ
ଅନୁନୟ କରିଲା ବିଶେଷେ
କହିଲା ଯିବ ସେ ପିତା ପାଶ
ଦେଖିଲେ ଲଭିବ ସନ୍ତୋଷ
କେଉଁ ମନ୍ଦିର ସେ କରୁଛନ୍ତି ?
କେଉଁ ଠାବେ ଅଛି ସେ ସ୍ଥାନଟି ?
ବାର ବରଷ ତ ପୂରିଲାଣି
ମନ୍ଦିର କାମ କାହିଁ ସରୁନାହିଁ !
ଏପରି କେତେ ଯେ ପ୍ରଶ୍ନ କଲା
ପିତା ପାଶେ ଯିବି ସେ କହିଲା
ମାତା ହୋଇଣ ନିରୁପାୟ
ପୁତ୍ରକୁ ଦେଲେ ସେ ବିଦାୟ
ହାତରେ ବରକୋଳି ଦେଲେ
ବାପାଙ୍କୁ ଦେବୁ ବୋଲି କହିଲେ
ଆଖିରେ ଭରି ଲୋତକ ସାଗର
ପୁଅକୁ ପଠାଇଲେ ଏତେ ଦୂର
ଧରମା ବେଗେ ଚଳିଗଲା
ଯାଇ କୋଣାର୍କେ ପହଞ୍ଚିଲା
ଦେଖିଲା ସେ କୋଣାର୍କର ଛବି
ଉଡ୍ର ଶିଳ୍ପ ଆକାଶର ରବି
ଦଣ୍ଡେ ଦେଖିଣ ହେଲା ପ୍ରୀତ
ଗର୍ବେ ହୋଇଲା ପୁଲକିତ
ଖୋଜିଲା ପିତାଙ୍କୁ ସେ ବେଗେ
କାଳ ବିଳମ୍ବ ନ କରି ଦଣ୍ଡେ
ଦେଖିଲା ବିଶୁ ମହାରଣା
ଦିଶୁଛନ୍ତି ଭାରି ଆନମନା
ପିତାଙ୍କ ପାଖକୁ ଯାଇ
ଆଦରେ ପ୍ରଣାମ କଲା ସେହି
ପିତା ଖୁସିରେ ଆତ୍ମହରା
ଦେଖିଲେ ତାଙ୍କ ନୟନ-ତାରା
ଆଦରେ ନେଲେ କୋଳେଇ
ଝରିଲା ଅଶ୍ରୁ, ନୀର ହୋଇ
କହିଲେ ଆଶା ହେଲା ପୂର୍ଣ୍ଣ
ଦେଖିଲି ତୋତେ ମୋ ପ୍ରାଣ-ଧନ
ଗଢା ହେଲା ଦିବ୍ୟ ମନ୍ଦିର
କିନ୍ତୁ ମୁଣ୍ଡି ମାରି ହେଉ ନାହିଁ ତା'ର
ଅସମ୍ପୂର୍ଣ୍ଣ ଲାଗେ ଏ ମନ୍ଦିର
ରାଜା ହୋଇ କୋପ ପ୍ରବର
ଦେଇଛନ୍ତି ମୁଣ୍ଡକାଟ ଆଦେଶ
କାଲି ସକାଳେ ମରିବୁ ସମସ୍ତ
ସେଥିପାଇଁ ହୋଇ ଶୋକାକୂଳ
ବସିଅଛୁ ଆମେ ଶିଳ୍ପୀ-କୁଳ
ନ ଦେଖିବୁ କାଲି ଭାସ୍କର
ଜୀବନ ଯିବ ଯେ ଆମ୍ଭର
ଧରମା ହୋଇ ଦୃଢଚିତ୍ତ
ଦଣ୍ଡେ ଦେଖିଲା କୋଣାର୍କର ରୂପ
ସମସ୍ତ କଥାକୁ ଶୁଣିଲା
ସୂର୍ଯ୍ୟଦେବଙ୍କୁ ସୁମରିଲା
କହିଲା ପିତା ପାଶେ ଯାଇ
ଆଜ୍ଞା ଦେଲେ ମୁଁ ମୁଣ୍ଡି ମାରିଦେବି
ସମ୍ପୂର୍ଣ୍ଣ ହେବ ଏ ମନ୍ଦିର
ଜୀବନ ରହିବ ତୁମ୍ଭର
ଆଜ୍ଞା ଦେଲେ ପିତା ଦଣ୍ଡେ ରହି
ଆଶ୍ଚର୍ଯ୍ୟ ହୋଇ ପୁତ୍ରେ ଚାହିଁ
ଧରମା ଦେଖିଲା ମନ୍ଦିର
ଚୁମ୍ବକର ହୋଇଅଛି ବ୍ୟବହାର
ଚୁମ୍ବକୀୟ ଶକତିର ବଳେ
ପ୍ରତିମା ଶୂନ୍ୟେ ଦୋଳି ଖେଳେ
କରିଲା ସେ କେତେ ମାପଚୁପ
ମନ୍ଦିର ଚୂଡ଼ାରେ ଦେଲା ପାଦ
କିଛି ସମୟର ଅନ୍ତରାଳେ
ମୁଣ୍ଡି ମାରିଲା ସେ ସତ୍ବରେ
ଦେଖି ଆଶ୍ଚର୍ଯ୍ୟ ଶିଳ୍ପୀଗଣ
ଧରମାର ଅନ୍ତର୍ନିହିତ ଗୁଣ
ମନ୍ଦିର ହୋଇଲା ସମ୍ପୂର୍ଣ୍ଣ
ହସି ଉଠିଲା ବିଶୁଙ୍କ ମନ
କିନ୍ତୁ ଶିଳ୍ପୀ ହୋଇଲେ ବିଷର୍ଣ୍ଣ
ଭୟରେ ଥରିଲା ତାଙ୍କ ବଦନ
ରାଜା ଯଦି ଜାଣିବେ ସତ
ନିଶ୍ଚେ ହୋଇବ ମୁଣ୍ଡକାଟ
ବାରଶ' ବଢେଇ ଦ୍ଵାରା ଯାହା ନ ହୋଇଲା
ବାର ବର୍ଷର ପୁଅ ତାହା କରି ଦେଖାଇଲା
ଧିକ ଅଟେ ଆମ ଜୀବନ
ଶତ ଧିକ ଆମ ଶିଳ୍ପୀ ପଣ
କୁହ ଏବେ ବିଶୁ କି କରିବା !
ରାଜ-କୋପରୁ କିବା ବଞ୍ଚିବା !
ଆସୁଥିବେ ଶିବେଇ ସାଆଁନ୍ତରା
ଆସିବ ଆମ ମୃତ୍ୟୁ ଡ଼ାକରା
ସବୁ ଶୁଣିଲା ଧର୍ମପଦ
କହିଲା ବାପା, ଆଗ ତୁମ ମହତ
ଏ ପ୍ରାଣ ରହି କି ଲାଭ !
ଯଦି ନ ରୁହେ ତୁମ ମହତ
ହେ ପିତା ! ଦିଅ ଗୋ ବିଦାୟ
ଶିଳ୍ପୀ କୁଳ ମାନ ତୁମେ ବଞ୍ଚାଅ
ମୃତ୍ୟୁକୁ ବରି ହୋଇବି ଅମର
ମାଆ ଆଗେ କହିବି ଥିଲି ମୁଁ ବୀର
ମୃତ୍ୟୁକୁ ଦେଖି ସମ୍ମୁଖେ
ଡରିଲିନି ମୁଁ କିଞ୍ଚିତେ
ଏପରି କହି ଧର୍ମପଦ ବୀର
ଚଢିଲା କୋଣାର୍କ ମନ୍ଦିର
ଚନ୍ଦ୍ରଭାଗାରେ ଝାସ ଦେଲା
ମରି ବି ଅମର ହୋଇଲା
ଆଜି ବି ସେ କୋଣାର୍କ ମନ୍ଦିର
ଶୁଣାଏ କାହାଣୀ ଧର୍ମପଦର
ଥିଲା କୁଶଳୀ କାରିଗର
ମାନ ରଖିଲା ଶିଳ୍ପୀଙ୍କର
ମନ୍ଦିର କରିଲା ସମ୍ପୂର୍ଣ୍ଣ
ବଢାଇଲା ଉଡ୍ର ସମ୍ମାନ
ସମୁଦ୍ର ମଧ୍ୟେ ଝାସ ଦେଲା
ପ୍ରତି ଓଡ଼ିଆ ପ୍ରାଣେ ସେ ରହିଲା
ପିଲାଏ ଶୁଣିଲ ଏ କାହାଣୀ
ବୀର ଧର୍ମପଦର ବାଣୀ
ଶୁଣିଥିଲି ମୋ ମାଆ କୋଳେ
ତୁମକୁ କହିଲି ମୁଁ ଭଲେ
ଧରମା ପରି ହେବ ବଡ଼
ରଖିବ ଯଶ ପିତା-ମାତାଙ୍କର
ସୁନାମ ଅର୍ଜନ କରିବ
ଦେଶ-ଜାତି ଟେକ ରଖିବ ।