ଧରମ ମାସ କାର୍ତ୍ତିକ
ଧରମ ମାସ କାର୍ତ୍ତିକ
ବାରମାସ ମଧ୍ୟେ ଚାରିମାସ ଶ୍ରେଷ୍ଠ
ତା ମଧ୍ୟେ କାର୍ତ୍ତିକ ମାସ
ଧରମର ମାସ ବୋଲି ଖ୍ୟାତ ପରା
ବୁହାଏ ଧରମ ସ୍ରୋତ ।
ଆକାଶ ନିର୍ମଳ ମନ ନିରିମଳ
ଗାଁ ଦାଣ୍ଡ ନିରିମଳ
ଓଡିଶାର ପରମ୍ପରା ମଧ୍ୟେ
ଏ କାର୍ତ୍ତିକ ମାସ ଗଣା ।
ସାତ୍ତ୍ଵିକ କାର୍ତ୍ତିକ ପ୍ରତ୍ୟେକଟି ଦିନ
ଦିଏ ପୁଣ୍ୟର ବାରତା
ସାତ୍ତ୍ଵିକ ଜୀବନ ଜୀଇଁବାର କଳା
ବତାଏ ଏ ମାସ ପରା ।
କାର୍ତ୍ତିକ ମାସର ଉପାସନା ବିଧି
ବ୍ରହ୍ମଦେବ ବୁଝାଇଲେ
ଦେବର୍ଷି ନାରଦ ସେ ବାଣୀକୁ ଆଣି
ମର୍ତ୍ତେ ପ୍ରଚାର କରିଲେ ।
ମର୍ତ୍ତ୍ୟରେ ତୁଳସୀ ଉତ୍ପତ୍ତିର କଥା
ଏହି ମାସ କହିଥାଏ
ପ୍ରାତଃ ସ୍ନାହାନର ଉପଜୀବ୍ୟତାକୁ
ଏହି ମାସ ଯେ ଶିଖାଏ ।
କାର୍ତ୍ତିକ ମାସ ଯେ ଧରମ ମାସ ହେ
ଘରେ ଘରେ ପୂଜା ହୁଏ
ପ୍ରାତଃ ସ୍ନାନ କରି ତୁଳସୀ ମୂଳରେ
ଭକ୍ତି ଅର୍ଘ୍ୟ ବଢ଼ା ହୁଏ ।
ଚିତା ମୁରୁଜରେ ତୁଳସୀ ମୂଳରେ
ଇଶ୍ଵର ଚେତନା ଜାଗେ
ସାତ୍ତ୍ଵିକ ଆହାର ସାତ୍ତ୍ଵିକ ଭାବର
ଶୁଭ ଶଙ୍ଖ ବାଜି ଉଠେ ।
ସାତ୍ତ୍ଵିକ ଆହାର ହବିଷାନ୍ନ ଆହା
କି ସୁନ୍ଦର ତା ମହକ
ଖାଇ ଦେଲେ ମନ ପୁରି ଉଠୁ ଥାଏ
ଦେହ ମନ ପୁଲକିତ ।
ସାତ୍ତ୍ଵିକ ଭାବରେ ଧରଣୀ ମଣ୍ଡିତ
ଶ୍ରୀକ୍ଷେତ୍ରରେ ଲାଗେ ଭିଡ଼
ଜୀବ ପରମାତ୍ମା ସଙ୍ଗେ ମିଶିବାକୁ
ସତେ ଅବା ଆଗଭର ।
ଏହି ମାସେ ହୁଏ ଗର୍ଭଣା ସଂକ୍ରାନ୍ତି
ଖାଦ୍ୟ ଶସ୍ୟ ଆବାହନୀ
କାର୍ତ୍ତିକେୟ ପୂଜା ବୋଇତ ବନ୍ଦାଣ
ହୁଏ ଶୁଭ ଦୀପାବଳୀ ।
କାଳୀପୂଜା ପୁଣି ଲକ୍ଷ୍ମୀପୂଜା ହୁଏ
ବଡ଼ ବଡ଼ୁଆଙ୍କ ଡାକ
ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଏ ନର
ଶୁଦ୍ଧ ପୁତ ମନ ତାର ।
ସାରା ମାସେ ପ୍ରଭୁ ରାଇ ଦାମୋଦର
ବେଶ ପରା ହୋଇ ଥାନ୍ତି
ପ୍ରେମର ସନ୍ଦେଶ ଦୁନିଆକୁ ଦେଇ
ସର୍ବ ମନ ତୋଷୁ ଥାନ୍ତି ।
ପଞ୍ଚକ ପାଞ୍ଚୋଟି ଦିନେ ପ୍ରଭୁଙ୍କର
ପାଞ୍ଚ ପ୍ରକାରର ବେଶ
ଏକାଦଶୀ ଦିନ ଠିଆକିଆ ବେଶ
ଦ୍ଵାଦଶୀରେ ଯେ ବାମନ ।
ତ୍ରୟୋଦଶୀ ଦିନ ଆଡିକିଆ ବେଶ
ଚତୁର୍ଦ୍ଦଶୀ ଡାଳିକିଆ
ପୂର୍ଣ୍ଣମୀରେ ପୁଣି ରାଜ ରାଜେଶ୍ଵରୀ
ଅପୂର୍ବ ସେ ମନଲୋଭା ।
ଚତୁର୍ଦ୍ଦଶୀ ଦିନ ବଡ଼ ଓଷା ପୁଣି
ଓଡ଼ିଆ ମାଟିରେ ହୁଏ
ଶିବ ଶଙ୍କରଙ୍କ ମହିମାର କଥା
ମନରେ ଗୁଞ୍ଜରୁ ଥାଏ ।
ପ୍ରାତଃ ସ୍ନାନ ଆଉ ଦେବ ଦର୍ଶନରେ
ଦେହ ମନ ସଞ୍ଜିବୀତ
ସାତ୍ତ୍ଵିକ ଆହାରେ ମନ ନିମଜ୍ଜିତ
ସୁପ୍ତ ପ୍ରାଣ ଯେ ଜାଗ୍ରତ ।
କାର୍ତ୍ତିକ ମାହାତ୍ମ୍ୟ ଘରେ ଘରେ ଶୁଭେ
ମନ ହୋଇ ଯାଏ ବାନ୍ଧି
ଏ ଧରା ଧାମ ରେ ଧର୍ମ ପ୍ରତିଷ୍ଠାର
କଥା କହି ଥାଏ ହସି ।
ଜଳନ୍ଧର କଷ୍ଟୁ ଉଦ୍ଧାରିବା ପାଇଁ
ବିଷ୍ଣୁଙ୍କର ତ୍ୟାଗ କଥା
ଯୁଗ ଯୁଗ ପାଇଁ ବୃନ୍ଦା ହୋଇଗଲେ
ତୁଳସୀ ନାମରେ ଖ୍ୟାତ ।
କାର୍ତ୍ତିକ ମାସ ଯେ ଧରମ ମାସ ହେ
ସୁଧି ଜନ ମନେ ରଖ
ପ୍ରତ୍ୟେକଟି ଦିନ ଓଁ କାର ଧ୍ଵନୀରେ
ହେଇଥାଏ ପ୍ରକମ୍ପିତ ।
