ଧନ୍ୟ ହେବି ଏ ସଂସାରେ
ଧନ୍ୟ ହେବି ଏ ସଂସାରେ
ଫୁଲଟିଏ ମୋତେ କରିଦିଅ ପ୍ରଭୁ
ତୁମରି ଶୀରେ ଲାଗିବ
ମହକ ଭରା ମୋ ସୁରଭି ବିତରି
ଜୀବନ ଧନ୍ୟ କରିବି।
ଛୋଟ ପକ୍ଷୀଟି ଏ କର ମହା ପ୍ରଭୁ
ଉଡ଼ିବି ସାରା ସଂସାର
ଶାନ୍ତିର ବାରତା କାନେ କାନେ କହି
ସଭିଙ୍କୁ କରି ନିଜର।
ଛୋଟ ଶିଶୁ ଟିଏ ହେବି ଯଦି ପ୍ରଭୁ
ଢ଼ାଳିବି ଆନନ୍ଦ ବାର୍ତ୍ତା
ପସରା ପସରା ଖୁସି ପରଶିବି
ନ ଥିବ ଟି ଆବିଳ ତା।
ଗଛ ଟିଏ ମୋତେ କର ମହା ପ୍ରଭୁ
ଫୁଲ ଫଳ ଭରା ଥାଇ
ମଳୟ ପବନ ମନ ଆନମନ
ମଣିଷ ସମାଜ ପାଇଁ।
ଜଳ ଧାରା ଟିଏ ହେବି ଯଦି ପ୍ରଭୁ
ଝରୁଥିବି ନିରନ୍ତରେ
ଶୋଷିଲା ଜନର ଶୋଷ ମେଣ୍ଟାଇବି
ଧନ୍ୟ ହେବି ଏ ସଂସାରେ।
