ଦେଖି ଚକା ଆଖି ଆଖି ଯାଏ ଲାଖି
ଦେଖି ଚକା ଆଖି ଆଖି ଯାଏ ଲାଖି
ନୀଳାଚଳ ଧାମେ ଲୀଳା ଲଗାଇଛି
ମୋ କଳା କହ୍ନେଇ ପରା
ଦାରୁ ବ୍ରହ୍ମ ସିଏ ଏମିତି ଠାକୁର
ଭାବେ ଦେଇ ଦିଏ ଧରା ।
ତ୍ରିପଣ୍ଡ କାଳିଆ ମୋ ନୀଳାଚଳିଆ
ଷୋଳକଳା ବିଭୂଷିତ
ଅସାମଞସ୍ୟରେ ସବୁ ସାମଞ୍ଜସ୍ୟ
ତା ଠାରେ ହୁଏ ପ୍ରତୀତ ।
ଅଧା ଗଢ଼ା ହାତ ମହାବାହୁ ସିଏ
ହାତ ସଦା ସମର୍ପିତ
ଭକତ ଭାବରେ ଦଉଡି ଯାଏ ସେ
ନାହିଁ ପୁଣି ତାର ପାଦ ।
ତା ରଙ୍ଗା ଅଧରେ ହସ ଲାଖି ଥାଏ
ଆଶିଷ ଯେ ଢାଳୁଥାଏ
ନାକରେ ବସଣି ଝୁଲୁ ଥାଏ ଆହା
ମୁଖର ଶୋଭା ବଢ଼ାଏ ।
ନାକରେ ବସଣି ତିଳକର ଶୋଭା
ଭ୍ରୁଲତା ମଝିରେ ସାଜେ
ରଙ୍ଗା ଅଧର ଓ ଭ୍ରୁଲତା ମଝିରେ
ଜଗା ଚକାଡୋଳା ଦିଶେ ।
ଚକା ଚକା ଆଖି ପଲକ ପଡ଼େନି
ଆହା କି ଅପୂର୍ବ ଠାଣି
ଥରେ ଦେଖି ଦେଲେ ସେ ଚକା ଆଖିକୁ
ମନ ଭରି ଯାଏ ପୁଣି ।
ସେ ଚକା ଆଖିକୁ ଦେଖି ଦେଲେ ଥରେ
ନିଜକୁ ତ ଭୁଲିଯାଏ
ସେ ଚକା ଆଖିରେ ଲାଖିଯାଏ ଆଖି
ମାଗିବାକୁ ଭୁଲିଯାଏ ।
ତୋତେ ଦେଖିବାକୁ ଭକତ ଯାଇ ଯେ
ନିଜକୁ ଯେ ଭୁଲି ଯାଏ
ଚକାଡୋଳା ମୋହେ ବାନ୍ଧି ହୋଇଯାଏ
ଆଉ କିଛି ବି ନ ଦେଖେ ।
ଜଗା କହିଦେଲେ ପ୍ରଥମେ ଦିଶଇ
ବଡ଼ ବଡ଼ ଚକା ଡୋଳା
ନୀଳ କନ୍ଦରରେ ଭାଇ ଭଉଣୀଙ୍କ
ସଙ୍ଗେ କରୁଅଛି ଲୀଳା ।
ଏମିତି ଠାକୁର କେଉଁଠାରେ ଅଛି
ଅରୂପରେ ରୂପ କାନ୍ତି
ସେ ଚକାଡୋଳାରେ କେତେ ମାଦକତା
ଭକ୍ତ ଭୂଲେ ଭୟ ଭ୍ରାନ୍ତି ।
ଚ଼କା ଡୋଳାରେ ତା ଅପୂର୍ବ ମାଧୁର୍ଯ୍ୟ
ମାଧୁରୀମା ଭରିଯାଏ
ସେ ଚକାନୟନ ହରିନିଏ ମନ
ପବିତ୍ରତା ଭରି ଯାଏ ।
ଶ୍ରୀକ୍ଷେତ୍ରରେ ପାଦ ପଡିବା ପୂର୍ବରୁ
ଚକା ଆଖି ମନେ ନାଚେ
ଘରେ ବସି କେହି ତୋତେ ଭାବୁ ଥିଲେ
ଚକା ଆଖି ଦେଖୁଥାଏ ।
ତୋ ଚକା ଆଖିରେ କି ଗାଥା ରହିଛି
ଆଖି ଲାଖି ରହିଥାଏ
ଜୀବନରେ ଭରେ ଅପୂର୍ବ ପୁଲକ
ଦେହେ ଶିହରଣ ଖେଳେ ।
ତୋ ଚକା ଆଖିକୁ ଚାହିଁଦେଲେ ଜଗା
ଭୋକ ଶୋଷ ଭୁଲିଯାଏ
ସବୁ ସମସ୍ୟାର ସମାଧାନ କଥା
ତୋ ଆଖି ଯେ କହିଦିଏ ।
ଚକା ଆଖି ତୋର ଏଇମିତି ଜଗା
ଦୁନିଆକୁ ଦେଖୁଥାଉ
ତୋ ଆଖିର ଆଖି ମିଶାଇ ମଣିଷ
ଭାବମୟ ହେଉଥାଉ ।