ଦେବତାର ଶ୍ରମ
ଦେବତାର ଶ୍ରମ
କରିଲି ଏକତ୍ର ସ୍ବପ୍ନ ଯେତେ ମୋ
ରୂପେଲି ପବନ ଦେହେ
ସ୍ବର୍ଣ୍ଣାଭ ନୀଳ ବାୟୁମଣ୍ଡଳର
ମଧ୍ୟରେ ଯାହା ଶୋହେ।
କଲି ଆବୃତ ଅତୀବ କୋମଳ
ଭାବ ବହି ହୃଦୟରେ
ଆସିଥିଲି ଛାଡ଼ି ସ୍ଵପ୍ନ ସବୁ ମୋର
ଭାସୁଥିବା ପବନରେ।
ଅଳଙ୍କାର ବିମଣ୍ଡିତ ଥିଲା ତାହା
ଯେ ଥିଲା ତୁମକୁ ନେଇ
ରୂପାନ୍ତର ହେବ ମନ, ପ୍ରାଣ,ଦେହ
ଦିବ୍ୟ ଭାବ ଆପଣେଇ।
କରିଥିଲି ଆଶା ଗଢ଼ିଦେବି ଏକ
ଇନ୍ଦ୍ରଧନୁର ସେତୁ
ଭୂମିରୁ ଭୂମାକୁ ଯାହା ପରିବ୍ୟାପ୍ତ
ଋତାୟନର ହେତୁ।
ନର୍ତ୍ତନଶୀଳ ଏ କ୍ଷୁଦ୍ର ଗ୍ରହରେ
କରିବି ବପନ ମୁହିଁ
ଶାଶ୍ବତଙ୍କ ମନୋଭାବ ସେହି ପରା
ସଭିଙ୍କୁ ଯିବ ଯେ ଛୁଇଁ।
ସ୍ଵର୍ଗ ଆମ ଯେତେ ଆସେ ଦୃଷ୍ଟି ପଥେ
ଜ୍ୟୋତିର୍ମୟ କିନ୍ତୁ ଦୂରେ
ଅତି ସୂକ୍ଷ୍ମ ଉପାଦାନେ ଗଢା ସେହି
ବାୟୁକଣା ତୁଳନାରେ ।
ଆକର୍ଷଣୀୟ ସେ ଅତି ମନୋହର
କିନ୍ତୁ ଆଲୋକ ଉଭାନ
ମୂଳ ତ ନ ଥିଲା ଗଭୀର ପ୍ରଦେଶେ
ଭୂମି ନୁହେଁ ଦୃଶ୍ୟମାନ।
ଆଣିବାକୁ ସ୍ବର୍ଗ ଏ ମର୍ତ୍ତ୍ୟ ଭୁବନେ
ହେବ ଯିଏ ଆଗୁସାର
ଦୁଃଖ, ଯନ୍ତ୍ରଣାରେ ଆଗ ହେବ ଘାଣ୍ଟି
ପଙ୍କରେ ରଖି ପୟର ।
ଆପଣା କାନ୍ଧରେ ବୋହିବାକୁ ହେବ
ଯେତେ ଯାତନାର ଭାର
ଗୋସେଇଁ ମୁଣ୍ଡରେ ବୋକଚା ବୁହା ତ
ହେବ ନିଶ୍ଚିତ ସାକାର ।
ତେଜି ଦେବତ୍ୱକୁ ଆସିଛି ମର୍ତ୍ତ୍ୟକୁ
ଯାହା କଳୁଷରେ ଭରା
ଅଜ୍ଞାନତା ପ୍ରତି କୋଣେ ଅନୁକୋଣେ
ଶ୍ରମ ଆବଶ୍ୟକ ପରା।
ଜନ୍ମ ମୃତ୍ୟୁ ଧାରା ମଧ୍ୟେ ଚାଲଇ ଯେ
ମାନବୀୟ ଅଗ୍ରଗତି
କଠିନ ଶ୍ରମ ହିଁ ସମ୍ବଳ ମୋହର
କରି କରାଇବି ନିତି।