ଭିନ୍ନ ପ୍ରେମ ଅଭିନ୍ନ ଚରିତ୍ର
ଭିନ୍ନ ପ୍ରେମ ଅଭିନ୍ନ ଚରିତ୍ର
ତୁମେ ସୁଦୂରର ବିଶାଳ ଆକାଶ
ମୁଁ ଯେ ସ୍ଥୂଳ ମାଟି ପଥରର ବସୁଧା
ଆମ ମଧ୍ୟେ ଯୋଜନ ଯୋଜନ ବ୍ୟାପି
ରହିଛି ଶୂନ୍ୟତାରେ ବ୍ୟବଧାନ
ଯୁଗ ଯୁଗ ଧରି ପରସ୍ପରକୁ ରହିଛୁ ଚାହିଁ
ମିଶି ଯାଇ କେବେ ଏକାଠି ହେବା
ନୁହଁଇ ତ ଏ ସମ୍ଭବ...ଏ ସ୍ବପ୍ନର ସ୍ବପ୍ନ
ଦୂର ଦିଗବଳୟରେ ଦେଖାଯାଏ ଏକ
ସେ ଦୃଷ୍ଟିକୋଣର ଏ ଏକ ଭ୍ରମ ମାତ୍ର।
ତୁମେ ଆକାଶର ରୁପେଲି ଜହ୍ନ
ମୁଁ ସରୋବରର ତୁଚ୍ଛ କୁମୁଦିନୀଟିଏ
ଦୂରେ ଦୂରେ ଥାଇ କରେ ମାନ ଅଭିମାନ
ଜୋଛନା ଢାଳିଲେ ତୁମେ
ମୋ ଆଡ଼କୁ ଛିଟିକି ପଡେ ଚେନାଏ
ଆତ୍ମ ବିଭୋରରେ ହୁଏ ମୁଁ ଅନୁରାଗୀ
ତୁମ ସାନ୍ନିଧ୍ୟ ପାଇବାର ମିଠା ଆଶ୍ବାସନା
ବାସ୍ତବରେ କିନ୍ତୁ ଏ ଅହେତୁକ ଆକର୍ଷଣ
ଭିନ୍ନ ପ୍ରେମର ଆମେ ଅଭିନ୍ନ ଚରିତ୍ର।
ଆମେ ଦୁହେଁ ଏକ ରେଳପଥର
ଦୁଇଟି ପୃଥକ୍ ପୃଥକ୍ ଲମ୍ବିଥିବା ଧାରଣା
ଏକ ଲକ୍ଷ୍ୟ ଏକ ଲକ୍ଷ୍ୟସ୍ଥଳକୁ ଆମ ଯାତ୍ରା
ପାରୁନା କିନ୍ତୁ କେହି କାହାକୁ ଛୁଇଁ
ସବୁବେଳେ ଆମେ ନିରପେକ୍ଷ ଭାବରେ
ରହିଛି ସମାନ ଆଉ ସମାନ୍ତରାଳ ହୋଇ
ଆମ ଭିତରେ ଥିବା ପ୍ରେମ କି ବିଚିତ୍ର !
ତୁମେ ଉତ୍ତର ହେଲେ ମୁଁ ଦକ୍ଷିଣ
ମୁଁ ପୂର୍ବରେ ରହିଲେ ତୁମେ ରୁହ ପଶ୍ଚିମରେ
ଆମେ ପରସ୍ପରର ବିପରୀତ ଅଭିମୁଖୀ
ଏକାଠି ମିଶିବା ଅସମ୍ଭବ ଅବାନ୍ତର
ଭାବି ନେଲେ ଏକ ହଜେ ନିଜର ଅସ୍ତିତ୍ବ
ସୂକ୍ଷ୍ମରେ ଆମେ ଗୋଟିଏ ବିନ୍ଦୁ
ସବୁ ତତ୍ତ୍ବର ଏ ବିଶେଷ ବିଶେଷତ୍ଵ
ସ୍ଥୂଳରେ ସର୍ବଦା ଭିନ୍ନ ଭିନ୍ନ ଆମ ଆକାର
ଏ ଅଭିନ୍ନ ଚରିତ୍ର ହୋଇ ପାରେନା ଏକତ୍ର।