ଦେବଜ୍ୟୋତି ଆହେ ପ୍ରୀତି ଦୀପାଳି
ଦେବଜ୍ୟୋତି ଆହେ ପ୍ରୀତି ଦୀପାଳି
ପରଂବ୍ରହ୍ମ ତୁମେ ଆହେ ଦେବଜ୍ୟୋତି
ତୁମେ ହିଁ ଜ୍ୟୋତି ଦୀପାଳି ।
ଶ୍ରଦ୍ଧାର ପ୍ରତୀକ ତୁମେ ଦେବ ଋଷି
ପିତରଙ୍କ ଗଳାମାଳି ।୧।
ପ୍ରୀତିରେ ତୁମକୁ ଆବାହନ କରି
ଶ୍ରଦ୍ଧା ଭକତି ଭାବରେ ।
ଜଳାଇ ତୁମକୁ ଦୀପାଳି ଜାଳି ମୁଁ
ଦୀପଦାନ ଶ୍ରାଦ୍ଧ କରେ ।୨।
ଆଗମେ ତୁମର ଅନ୍ଧକାର ଦୂର
ହୋଇ ଆଲୋକ ପ୍ରକାଶେ ।
ତିମିର ବିନାଶ ଜ୍ଞାନର ବିକାଶ
ହୋଇ ଚଉଦିଗ ହସେ ।୩।
ତୁମେ ବ୍ରହ୍ମଙ୍କର ନେତ୍ରରୁ ଜନମି
ଭାସ୍କର ସ୍ବରୂପ ବହ ।
ମନରୁ ଜାତ ହୋଇଲେ ବ୍ରହ୍ମଙ୍କର
ଚନ୍ଦ୍ରମା ରୂପକୁ ପାଅ ।୪।
ତୁମେ ଜନାର୍ଦ୍ଦନ ପାତକ ହରଣ
ପାତକୀର କରିଥାଅ।
ହେ ପ୍ରୀତି ଦୀପାଳି ତୁମ ଆଲୋକରେ
ସଭିଙ୍କୁ ଆଲୋକ ଦିଅ ।୫।
ନିଜେ ଜଳି ଜଳି ନିଃଶେଷ ହେବାର
ସଙ୍କଳ୍ପ ନେଇଛ ତୁମେ ।
ଅଜ୍ଞାନ ଅନ୍ଧାର ବିନାଶି ଆଲୋକ
ଶିଖା ବିକାଶୁଛ ଭୂମେ ।୬।
ଦେବଜ୍ୟୋତି ଆହେ ପୀରତି ଦୀପାଳି
ଦେଉଅଛ ମହାଶିକ୍ଷା ।
ନିଜର ଜୀବନ ବଳିଦାନ ଦେଇ
କରୁଛ ଆମକୁ ରକ୍ଷା ।୭।
ଏ ପ୍ରୀତି ଦୀପାଳି ସବୁ ହୃଦୟରେ
କାଳେ କାଳେ ଜଳୁଥାଉ।
ଏହି ଦୀକ୍ଷା ଦିଅ ଅଜ୍ଞାନ ତମିସ୍ରା
ସବୁରି ହୃଦରୁ ଯାଉ ।୮।
