STORYMIRROR

Biswanath Nayak

Fantasy Thriller

3  

Biswanath Nayak

Fantasy Thriller

ଡର -------

ଡର -------

1 min
352

ମରଣ ନାଆଁ ଶୁଣିଲେ

ଛାତିରେ ଛନକା ପଶେ,

ଭାରି ଡର ଲାଗେ । 

ଡରକୁ ଦୂରେଇବାକୁ

ଗୀତ ଶୁଣି, ନାଚି ଗାଇ

ଭୁଲେଇବାକୁ ପଡେ

ଏ ଡରୁଆ ମନକୁ ।

ଯେତେ ଚେଷ୍ଟା କଲେ

ତାକୁ ଦୂରେଇ ଦେବାକୁ,

ସେ ସେତେ ପାଖେଇ ଆସେ । 

ଟିକେ ସୁଯୋଗ ପାଇଲେ,

ଅବଚେତନ ମନରୁ

ପଶିଆସେ ଚେତନ ମନକୁ ।

ଭାରି ଡର ଲାଗେ,

କାଳେ ସିଏ ଟାଣିନେବ

ମୋତେ ତା କୋଳକୁ । 

ମୁଁ ଜାଣି ଅଜଣା ହୁଏ,

ଚିହ୍ନି ନ ଚିହ୍ନିବାର

ଅଭିନୟ କରେ ।

ମନେମନେ କହେ,

ମୃତ୍ୟୁ! ତୁମେ ଭୟଙ୍କର

ଆସନା ମୋ ପାଶେ

ମୋତେ ଲାଗେ ଭାରି ଡର । 

ମୃତ୍ୟୁ କହେ,

ମୁଁ ସତ୍ୟ, ମୁଁ ତ ସୁନ୍ଦର,

ମୁଁ ତୁମକୁ ଡରାଏନା

ତୁମେ ମୋତେ ଡର । 

ସତ୍ୟକୁ ମାନି ନନେଇ

ଚାହଁ ତୁମେ ରହିବାକୁ

ଅନ୍ଧାର ଭିତରେ,

ତେଣୁ ଆସେ ତୁମ ମନେ ଡର । 

ମୁଁ ସତ୍ୟ,ସତ୍ୟ ହିଁ ଆଲୋକ,

ଆଖି ବୁଜିଦେଇ ତୁମେ,

ଅନ୍ଧକାର ଭାବି ମୋତେ

ଡରୁଛ କାହିଁକି?

ଆଖି ବୁଜିଦେଲେ କ'ଣ

ଆଲୁଅଟା ଅନ୍ଧାର ସାଜିବ?

ଦିନ କଣ ରାତି ପାଲଟିବ?

ତେଣୁ ମୋତେ ନଡରିଣ 

ଡର ତୁମ ଅନ୍ତରଭିତରେ ଥିବା

 ଅନ୍ଧକାରରୂପୀ ଅସତ୍ୟକୁ,

ସେ ହିଁ ସଦା ଡରାଏ ତୁମକୁ । 

ତାକୁ ତୁମେ ଘଉଡ଼ାଇ,

ମୋତେ ତୁମେ ଜନ୍ମପରି

ସତ୍ୟ ମାନିନିଅ,

ମୁହଁ ନଫେରାଇ ମୋଠୁ

ମୋତେ ତୁମ ବନ୍ଧୁ ମାନିଯାଅ । 

ତାହେଲେ ତୁମକୁ ଆଉ

ଡର ଲାଗିବନି । 

ସରିଗଲା ପରେ ଏଠୁ

ତୁମ ଅଭିନୟ,

ତୁମକୁ କୋଳେଇନେବି

ବନ୍ଧୁଭଳି ଅତି ଆନନ୍ଦରେ,

ସେତେବେଳେ ଦୁନିଆଟା

କାନ୍ଦୁଥିବ ତୁମ ବିୟୋଗରେ,

ତୁମ ମନରେ ନଥିବ

ଶୋକ ଆଉ ଭୟ,

ଶବାଧାର ପରେ ଶୋଇ

ତୁମେ ହିଁ କରିପାରିବ

ମରଣକୁ ଜୟ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy