ଡଙ୍ଗା
ଡଙ୍ଗା
ଵରଷା ଆସିଲେ ମନେ ପଡେ ମୋର
ଗାଁ ଗହୀରିର ପାଣି
ଭିଜୁଥିଲୁ ଆମେ ଝଡି ଵରଷାରେ
ବୋଉର କଥା ନମାନି
ଵରଷା ସୁଅରେ ଭସାଉଥିଲୁ କାଗଜ ଡଙ୍ଗା
ହାତରେ ତିଆରି କରି
ଭାସିଯାଇ ପୁଣି ବୁଡିଯାଉଥିଲା ପାଣି ଫୋଟକା ପରି
ଗୋଟି ପରେ ଗୋଟି କାଗଜ ଡଙ୍ଗା
ଭାସୁଥିଲେ ଧାଡି ଧାଡି
ମନ ଆନନ୍ଦରେ ହସି ହସି ଆମେ
ଖୁସିରେ ଯାଉ ତ ଗଡି
ପଛୁଆ ବା ପେଲି ନେଉଥାଏ
କାଗଜ ଡଙ୍ଗାକୁ ଆମର
କେଉଁଠି ଅବା ସେ ଅଟକି ଯାଏ
କାଠି କୁଟା ଅଳିଆର
ଭସାଇ ଦେଇ ଗାଉଥିଲୁ ଆମେ
ପଢ଼ା ବହିର ସେ ଗୀତ
ଭାସି ଯା ମୋର କାଗଜ ଡ଼ଙ୍ଗା
ଭାସି ଯା ମୋର ମିତ।
ଜୁଡୁବୁଡୁ ହୋଇ ଵରଷା ପାଣିରେ କଡାଇ ନେଉ ତା ବାଟ
କିଛି ବାଟ ଯାଇ ବୁଡିଯାଏ ପୁଣି
ସରିଲେ ଅଳିକ ଜୀବନ ନାଟ।
ଭିଜି ଯାଏ ଯେବେ କାଗଜର ଦେହ
ହୁଏ ସେ ଡଙ୍ଗା ଦଦରା
ଆପଣା ଛାଏଁ ମିଳାଇ ଯାଏ ସେ
ଲୋଡ଼ା ନାହିଁ କାହା ଦୟା ଆଉ ଆସରା।
ସେଦିନ କୁଆଡେ ହଜି ତ ଗଲାଣି
ସ୍ମୃତିର ଆଲେଖ୍ୟ ହୋଇ
ଆସିବନି ଫେରି ଆଉ ସେହିଦିନ
କିଏ ବା ଦେବ ଫେରାଇ।
