ଡିସେମ୍ବର ସଞ୍ଜ
ଡିସେମ୍ବର ସଞ୍ଜ
ଶୁଖିଲା ପତ୍ର ଓଠରେ ଡିସେମ୍ବର ସଞ୍ଜଟା ଥରୁଛି
ସାଜି ପ୍ରିୟାର ଚିବୁକ
ଦିନର ଦରଜ ମାରୁଛି ଗୋଧୂଳି ମହକ..!
କିନ୍ତୁ ମନ ଚାହେଁ
କପେ ଗରମ ଚା' ଖଣ୍ଡେ ସିଗାରେଟ୍
ଆଉ
କିଛି ନୂଆ ଶବ୍ଦର ଅଫେରା ଆଗନ୍ତୁକ..!!
ସଞ୍ଜ ଗଡିବ ଶୀତ ବଢିବ
ଦେହ ଲୋଡିବ ରକ୍ତରେ ଘୋଡାଦୌଡ
ପାଦ ହୁଡିବ ପାପ ପୂଣ୍ୟ ଗଳି ରାସ୍ତାରେ..!
ହେଲେ
ପ୍ରିୟା ଗଳିରେ ଯେ ପାପ ଧୂପ ହୋଇ ମହକି ଉଠୁଛି
ପଣତ ଛାଇରେ
ଡିସେମ୍ବର ସଞ୍ଜରେ ..!!
ଏବେ ଲୋଡା ଟିକେ ଏକାନ୍ତ ନିରୋଳା
ଅନ୍ଧାର ଛାତିରୁ ମୁହୂର୍ତ୍ତେ ଗରଳ..!
ବେହିସାବ ସମ୍ପର୍କ ଭିତରେ
ରାତି ଆଉ ଟିକେ ଗାଢ୍ ହେବା ଆଗରୁ
ଟିକ୍
ନିକ୍ ପରଖିବାକୁ
ସତ୍ୟର ଆଲୋକ ଆଉ ପୂଣ୍ୟର ପରଳ..!!
ଯେତେ ସଞ୍ଜ ସେତେ ଅସମଞ୍ଜସ
ସେତେ ଝୁଣା ସେତେ ଧୂପ
ସେତେ ଗୀତ ସେତେ ଗପ
ସେତେ ପୂଣ୍ୟ ସେତେ ପାପ
ସବୁ ଅମଳିନ ଦୀପ
ହେଲେ ମଉଳିବା ସତ..!
ତେବେ ତୁମେ କୁହ
ଡିସେମ୍ବର ସଞ୍ଜଟା ଆଶୀର୍ବାଦ ନା ଅଭିଶାପ..!?
ଆଉ ଫେରିବାର ନାହିଁ
ସେ ଦିନ ସେ ଚିହ୍ନ
ସେ ଲଗ୍ନ ସେ ଜହ୍ନ
ବାସ୍ନାୟିତ ହେବନାହିଁ ମନ କୁଞ୍ଜରେ
ଗୁପ୍ତ ସମ୍ପର୍କର ପ୍ରଣୟ ଶୃଙ୍ଗାର..!
ବାସ୍ ..!
ଏବେ ଲୋଡାଖାଲି ନୂଆ ଏକ ଡିସେମ୍ବର
ଯିଏ ପ୍ରତି ସଞ୍ଜରେ ଲେଖୁଥିବ
ମୁକ୍ତ ସମ୍ପର୍କର ସ୍ୱର୍ଣିମ ଅକ୍ଷର
ମିଠା ହସ୍ତାକ୍ଷର..!!