ଢେ଼ଙ୍କି ଆଜି କାନ୍ଦୁଛି
ଢେ଼ଙ୍କି ଆଜି କାନ୍ଦୁଛି
ଓଡ଼ିଶା ର ପ୍ରତି ଗ୍ରାମାଞ୍ଚଳ ଆଜି
ସଂସ୍କୃତି ବିହୀନ ହୋଇଛି,
ଗ୍ରାମବାସୀଙ୍କର ପ୍ରିୟ ବସ୍ତୁ ସିଏ
ସଭିଙ୍କର ମନ ମୋହିଛି ।
ପ୍ରତିଟି ଘରେ ସେ ପ୍ରିୟ ପରିଚିତ
ସଭିଙ୍କୁ ସନେହେ ବାନ୍ଧେ,
ଶୁଭୁନାହିଁ ଆଉ ଢେ଼ଙ୍କିର ପାହାର
ଘରେ ଘରେ ଆଜି କାନ୍ଦେ ।
ଶୀତୁଆ ରାତିର ପାହାନ୍ତାରେ ହେଉ
ଅବା ହେଉ ଧୁ ଧୁ ଖରାବେଳ,
କର୍ଣ୍ଣେ ବାଜୁ ନାହିଁ ତା' ପାହାର ସ୍ୱର
ଆଜି ଖାଁ-ଖାଁ ଲାଗେ ଗ୍ରାମାଞ୍ଚଳ ।
ଗାଆଁ ର ପ୍ରତିଟି ମାଁ-ବୋହୂଙ୍କୁ ସେ
ଆପଣା ସନେହେ ବାନ୍ଧେ,
ଶୁଭୁନାହିଁ ଆଉ ଢେ଼ଙ୍କିର ପାହାର
ଘରେ ଘରେ ଆଜି କାନ୍ଦେ ।
ଧାନର ଛାଲିକୁ ଦୁଇ ଫାଳ କରି
ଚାଉଳ ଉତ୍ପନ୍ନ କରେ,
ସେହି ଛାଲି "ଚଷୁ" ନାମରେ ନାମିତ
ପ୍ରତି ପୁରେ ପ୍ରତି ଘରେ ।
ସେଥିରୁ ବାହାରେ "ବଗଡ଼ା" ଚାଉଳ
ତାକୁ ମାଁ ସରାଗେ ରାନ୍ଧେ,
ଶୁଭୁନାହିଁ ଆଉ ଢେ଼ଙ୍କିର ପାହାର
ଘରେ ଘରେ ଆଜି କାନ୍ଦେ ।
"ଢେ଼ଙ୍କି ଦେ ଦୁଲୁକେଇ ଲୋ ସମା କୁଟେ ଧାନ"
ଭଳି ଶୁଭୁନାହିଁ ଆଉ ଗୀତ,
ତାକୁ ନେଇ କେତେ ଢଗଢମାଳି ଯେ
ଆଜି ଲୋକମୁଖେ ଗୁଞ୍ଜରିତ ।
ନୂଆପୀଢ଼ି ପାଇଁ ଅଦ୍ଭୁତ ହୋଇବ
ସେ ଝୁମିବେନି ଢେ଼ଙ୍କି ନାଦେ,
ଶୁଭୁନାହିଁ ଆଉ ଢେ଼ଙ୍କିର ପାହାର
ଘରେ ଘରେ ଆଜି କାନ୍ଦେ ।
ଅତ୍ୟାଧୁନିକ ଏ ବିଜ୍ଞାନ ଯୁଗରେ
ତା'ର ଅସ୍ତିତ୍ବ ଆଉ ନାହିଁ,
ଧାନପେସା କଳ କବଳେ ଜଗତ
ଲୋକେ ବା ବୁଝନ୍ତେ କାହିଁ !
ଅଜଣା ଅଲୋଡ଼ା ହୋଇବି ମନକୁ
ସନେହ ବନ୍ଧନେ ବାନ୍ଧେ,
ଶୁଭୁନାହିଁ ଆଉ ଢେ଼ଙ୍କିର ପାହାର
ଘରେ ଘରେ ଆଜି କାନ୍ଦେ ।
