ଆଖିର ଲୁହରେ ଲେଖୁଛି କବିତା
ଆଖିର ଲୁହରେ ଲେଖୁଛି କବିତା
କେମିତି କହିବି ପାଖେ ନାହଁ ବୋଲି
ହୃଦୟରେ ସଦା ରହିଲ,
ଶୟନେ ସପନେ ମଧୁ ଜୋଛନାରେ
ପ୍ରାଣପ୍ରିୟ ମନ ମୋହିଲ ।
ଅନାବିଳ ପ୍ରେମେ ଭିଜେଇଲ ସାଥୀ
ମନ କୁ ସାରଥୀ କରି,
ଦୁଃଖେ ସୁଖେ ମୋର ବ୍ରତୀ ହେଲ ତୁମେ
ପ୍ରେମର ଜୁଆର ଭରି ।
ପାଖେ ନାହଁ ବୋଲି ତୁମେ ମୋର ସଖୀ
ଦୁଃଖ କରିବିନି ଜମା !
ତୁମ ପାଇଁ ଆଜି ଲେଖୁଛି କବିତା
ଆଗୋ ମୋର ପ୍ରିୟତମା ।
ଜାଣେ ମୁହିଁ ତୁମ ମନର ବେଦନା
କେତେ କଷ୍ଟେ ରହିଥିବ,
ପ୍ରତୀକ୍ଷା ରହିଲା ସମୟ ସ୍ରୋତରେ
ସବୁ ଦୁଃଖ ବହିଯିବ ।
ନିରୁପାୟ ମୁହିଁ ଏ ସ୍ଵାର୍ଥୀ ସମାଜେ
ଖୋଜି ପାଉନାହିଁ ରାହା,
ଦୁଃଖଭରା ଏଇ ଜୀବନେ ଘଟିବ
ଆମ ଭାଗ୍ୟେ ଥିବ ଯାହା ।
ତୁମର ସ୍ମୃତିରେ ମୋ ମନ କାନ୍ଦୁଛି
ଆଖି ହୁଏ ଛଳ ଛଳ,
ତୁମ ବିନା ମୋର ଅସଜଡା ମନ
ଆଉ ପାଉନାହିଁ ବଳ ।
ଦୂରେ ଅଛ ବୋଲି ଯେତିକି ବାଧୁନି
ବାଧେ ତୁମ ଦୁଃଖ ଶୁଣି,
କିନ୍ତୁ କଥା ଦେଲି ହସି ହସାଇବି
ପ୍ରେମଭରା ମଞ୍ଜି ବୁଣି ।
କଷ୍ଟ ହୁଏ ମନେ ତୁମେ ନାହଁ ବୋଲି
ନୟନୁ ଝରେ ଲୋତକ,
ତଥାପି କରୁଛି ମଙ୍ଗଳ କାମନା
ଭୁଲି ସବୁ ଦୁଃଖ ଶୋକ ।
ତୁମ ଦୁଃଖ ହରି ଆଶିଷ ଦିଅନ୍ତୁ
ସ୍ୱର୍ଗରେ ଥାଇ ସବିତା,
ତୁମକୁ ଭାଳି ମୁଁ ଆଖିର ଲୁହରେ
ଲେଖୁଛି ଆଜି କବିତା ।