ଆମ ନୂଆଖାଇ
ଆମ ନୂଆଖାଇ
ନୂଆ ଧାନେ ନୂଆଖାଇ ଆମ ଏଇ
ପରମ୍ପରାଗତ ପରବ,
ଆମର ସଂସ୍କୃତି ଆମ ଐତିହ୍ୟ ଏ
ପଶ୍ଚିମାଞ୍ଚଳର ଗରବ । (୧)
ଚଷା ପୁଅ ପାଳେ ଏହି ପରବକୁ
ଧାନ ଅମଳର ଖୁସିରେ,
ବିଜୁବାବୁ ଏହି ଦିନକୁ ଘୋଷିଲେ
ଆମ ସରକାରୀ ଛୁଟିରେ । (୨)
ପାଳିତ ହୁଅଇ ଭାଦ୍ରବ ମାସର
ଶୁକ୍ଳ ପଞ୍ଚମୀ ତିଥିରେ,
ଘରେ ହସଖୁସି ଆନନ୍ଦ ଉଲ୍ଲାସେ
ଦିନ ଯାଏ ସୁଖେ ବିତିରେ । (୩)
ବରଷା ଋତୁର ଶେଷେ ଶରତରେ
ଧରା ପୃଷ୍ଠେ ଆଗମନ,
ଏହି ସମୟରେ ଚଷା ଭାଈ ଆମ
କରେ ଚାଷ ବେଉଷଣ । (୪)
ଇଷ୍ଟଦେବୀ ଆମ ପୂଜା ପାଇଥାଏ
ଆଜି ଏ ଶୁଭ ଲଗନେ,
ଭକ୍ତ ନୂଆ ଧାନ ସମର୍ପଣ କରେ
ଭକତି ଭାବ ମଗନେ । (୫)
ଆରାଧ୍ୟଙ୍କ ପାଖେ ନୂଆ ଧାନୁ ଚୂଡ଼ା,
ଭାତ, କ୍ଷୀରି ହୁଏ ଅର୍ପଣ,
ଷାଠିଆ ଧାନରୁ ପ୍ରସ୍ତୁତ ଅନ୍ନ କୁ
ରାନ୍ଧି କରାଯାଏ ଭକ୍ଷଣ । (୬)
ଏହି ଗୋଟେ ଦିନ ମଦକୁ ତ୍ୟାଗଇ
ମଦ୍ୟପ ନ ଯାଏ ଭାଟିକୁ,
ଦେଶ ବିଦେଶରୁ ଭାଈ ବନ୍ଧୁ ସର୍ବେ <
/p>
ଲେଉଟନ୍ତି ଭିଟାମାଟି କୁ । (୭)
ସାନମାନେ ସର୍ବେ ମୁଣ୍ଡିଆ ମାରନ୍ତି
ଗୁରୁଜନ ପାଦ ଛୁଇଁ,
ନିଆରା ସଂସ୍କୃତି ପରମ୍ପରା ଦେଖି
ଧନ୍ୟ ହୁଏ ଜନ୍ମ ଭୂଇଁ । (୮)
ଘରର ବରିଷ୍ଠ ସମସ୍ତ ସଦସ୍ୟ
ସାନଙ୍କୁ ଆଶିଷ ଦିଅନ୍ତି,
ଆଶୀର୍ବାଦ ଦେଇ କନିଷ୍ଠ ଙ୍କ ଦୁଃଖ
ନିଜ ଶିରପରେ ନିଅନ୍ତି । (୯)
ଘରର ମୂରବୀ ବଢ଼ାଇ ଦିଅନ୍ତି
ନିଜ ହାତେ ନବାନ୍ନ କୁ,
ଖାଇ ସଭିଙ୍କର ଆତ୍ମା ହୁଏ ତୃପ୍ତ
ସେ ସ୍ଵାଦିଷ୍ଟ ଅନ୍ନ କୁ । (୧୦)
ଭୋଜିଭାତ ସାରି ଆରମ୍ଭ କରନ୍ତି
ଭେଟଘାଟ ର ସେ ପରବ,
ରାଗ ରୁଷା ଭୁଲି ଆଦରି ନିଅନ୍ତି
ନ ଥାଏ ଟି ମନେ ଗରବ । (୧୧)
ସ୍ନେହ, ଶ୍ରଦ୍ଧା, ଶାନ୍ତି, ମୈତ୍ରୀ ର ଉଚ୍ଛ୍ୱାସେ
ପୁଲକିତ ହୁଏ ମନ,
ଭାଇଚାରାର ଏ ସଂସ୍କୃତି ଆମର
ଅପୂର୍ବ ଏ ଭାବ ବନ୍ଧନ । (୧୨)
ଓଡ଼ିଶାର ମୁଖ୍ୟ ପର୍ବପର୍ବାଣୀରେ
ନୂଆଖାଇ ଆମ ଗଣା,
ଓଡ଼ିଶାରେ ଆମ ଏଇ ନୂଆଖାଇ
'ନବାନ୍ନ' ଭାବରେ ଜଣା । (୧୩)