ଡାକ୍ତରାଣୀ ହେବି
ଡାକ୍ତରାଣୀ ହେବି
ପ୍ରଥମ କରି ମୁଁ ସ୍କୁଲ ଯାଇଥାଏ
ଲାଗୁଥାଏ ଭାରି ଖୁସି ,
ଆହୁରି ଅନେକ ସହପାଠୀ ସେଠି
ଶ୍ରେଣୀରେ ଥାଆନ୍ତି ବସି
ପିଲାଙ୍କୁ କିଛିଟା ମଜାକଥା କହି
ଶିକ୍ଷକ ପଚାରିଦେଲେ ,
"ତୁମରି ଭିତରୁ କିଏ କ'ଣ ହେବ
କୁହ ପିଲେ-ବଡ଼ ହେଲେ "
କିଏ କହିଲା-"ସେ ଗାଡ଼ି ଚଳାଇବ"
କେ କହିଲା-"ହେବି ଚାଷୀ" ,
କେତେକ କହିଲେ-"ଦୋକାନ ଖୋଲିବୁ
ବିକିବୁ ଜିନିଷ ବେଶୀ "
ମୁଁ କହିଲି -"ହେବି ଡାକ୍ତର ଗୋଟିଏ
କରିବି ଲୋକଙ୍କ ସେବା ,
ଅଉଷଧ ଦେଇ ଭଲ କରିଦେବି
ରୋଗ ଯାହାଥିବ ଅବା "
"ଗୁରୁଜୀଙ୍କ ଝିଅ ଡାକ୍ତର ହୋଇବ"
କଥାଟା ପ୍ରଘଟ ହେଲା ,
ଖାଇବା ଛୁଟିରେ ଭିଡ଼ ଜମାଇଲେ
ଉପର ଶ୍ରେଣୀର ପିଲା
କିଏ ଦେଲା ମୋତେ ଚକୋଲେଟ ଆଣି
ପିଜୁଳି କେ ଦେଲା ପୁଣି ,
କିଏ କହିଲା-"ତୁ ଡାକତର ହେଲେ
ପଇସା ନେବୁନି ଗଣି "
"ଆମକୁ ଦେବୁଟି ମାଗଣା ଔଷଧ
ଜର ହୋଇବ ତ ଯେବେ ,
ଏଡ଼େ ବଡ଼ ଛୁଞ୍ଚି ଫୋଡ଼ି ଦେବୁନି ଲୋ
ଅମାନିଆ ହୋଇ କେବେ "
ମୁଁ କହିଲି-"ହେଉ ,ସେ କଥା ଦେଖିବି
ଡାକତର ହେଲା ପରେ ,
ଆଗ ବାପାଙ୍କୁ ଏ ଡାକ୍ତର ହୋଇବା
କଥାଟା ପଚାରି ସାରେ "
ଘରକୁ ଫେରିବା ପରେ ପଚାରିଲି
ବାପାଙ୍କୁ ମୁଁ ସେଇ କଥା ,
"ଡାକ୍ତର ହୋଇକି ଭଲ କରିବି ମୁଁ
କେବେ ରୋଗୀଙ୍କର ବ୍ୟଥା
ଦାଣ୍ଡ ଅଗଣାରେ ଖେଳୁଥିଲା 'ରମୁ'
ପଡ଼ିକି ଛାଡ଼ିଲା ରଡ଼ି ,
ବାପାଙ୍କ ସହିତ ଆସି ଦେଖିଲି ତା'
ଆଣ୍ଠୁ ଯାଇଅଛି ଛିଡ଼ି
କେ କିଛି କହିବା ଆଗରୁ ଧାଇଁକି
ଘରୁ ମୁଁ ମଲମ ଆଣି ,
ଧୂଳି ପୋଛି ରମୁ ଖଣ୍ଡିଆ ଉପରେ
ବୋଳିଦେଲି ତତକ୍ଷଣି
ବାପା ଦେଖି ଭାରି ଖୁସି ହୋଇଗଲେ
କହିଲେ-"ଏଇଟା ସେବା ,
ଝିଅ ମୋ ଏବେଠୁ ଡାକ୍ତରାଣୀ ପରା
ଶୁଣି କେ ନ ହୁଅ କାବା
ଅଳପ ବହୁତ ଯାହା ବି ପାରୁଛ
କରିଲେ ଅନ୍ୟର ହିତ ,
ସେଥିରେ ଠାକୁର ଖୁସି ହେବେ ନିଶ୍ଚେ
ଏ କଥାଟି ଅଟେ ସତ
ବାପାଙ୍କ କଥାକୁ ଧ୍ୟାନ ରଖି ମୁହିଁ
ସେ ଦିନୁ ଏ କାର୍ଯ୍ୟେ ରତ ,
ବିଦ୍ୟାଳୟ ଯିବା ପ୍ରଥମ ଦିନର
ସ୍ମୃତିଟି ଲାଗେ ଜୀବନ୍ତ
