ଦାୟାଦ
ଦାୟାଦ
ଚାଲ କିଛି କିଛି ସାଇତି ଦେବା
ଆମ ପଛେ ପଛେ ଆସୁଥିବା
ଦିନ, ମାସ, ବର୍ଷମାନଙ୍କ ପାଇଁ
ଆଉ ସେଥିରେ ଥିବା
ଭୋକିଲା, ଶୋଷିଲା, ନିଃଶ୍ୱତା-
ମାନଙ୍କର ଭାଗ୍ୟ ପରି
ନ ହେବ ଯେମିତି
ଧ୍ୱଂତ, ଧୂସରିତ ।
ତା ହେଲେ ଆସ
ହାତ ମିଶାଇ ହାତେ
କିଛି ଛାଡି ଦେଇ ଯିବା
ଚେନାଏ ଆକାଶ,
ମୁଠାଏ ମାଟି
ସୁରାଏ ପଣତ କାନି
ତାରି ଭିତରେ
ଅଳ୍ପ ଫୁଲର ମଧୁର ମହକ
କେରାଏ କଅଁଳିଆ ଦୁବ ଘାସ
ଟୋପାଏ ଶିଶିରର ଥରା ବିନ୍ଦୁ ।
ଆଉ
ଝରି ଯାଉଥିବା କିରଣରୁ
କେରାଏ କିରଣ
ବକଟେ ଜହ୍ନରାତି
ଶାମୁକାଏ ସ୍ନେହ
ମୁଠାଏ ହସ
ଜୀବନରେ ଯାହା ଆନନ୍ଦ ।
