ଦାଦନର ଉପଦେଶ
ଦାଦନର ଉପଦେଶ
ଦା ଦାସାନୁଦାସ କି
ନୁହେଁ ମୁଁ' ଗୋତି ଶ୍ରମିକ,
ଦାଦାଗିରି କରି
ମାରେନି ପେଟର ଭୋକ l
ଦାନାର୍ଥେ ଚତୁର୍ଥୀ
ନାହିଁ ମୋର କେବେ ଆଶା,
ଦାୟିତ୍ୱ ଆମର
ହେବା ନାହିଁ ଲୋକହସା l
ଦାଉ କି ସାଧୁଛି
ଅଜଣା ଅଚିହ୍ନା ରୋଗ,
ଆସି ଲଗାଇଲା
ସବୁଠାରେ କଳାଦାଗ l
ପେଟ ପାଇଁ ନାଟ
ସାଜିଲା ବଇରୀ ଆମ,
ସବୁ ହେଲା ବନ୍ଦ
ବନ୍ଦ ହେଲା ଯେତେ କାମ l
ଯାହା ଯେତେ ଥିଲା
ସରିଗଲା ଖାଉ ଖାଉ,
ଘର ମୁହାଁ ହେଲୁ
ବଢିଗଲା ରୋଗ ଭାଉ l
ପେଟ ବିକଳରେ
କରୋନାରୁ ବଞ୍ଚିବାକୁ,
ଓଡିଶା ଫେରିଲୁ
ଯାଇଥିଲୁ ଖଟିବାକୁ l
କରୋନା ଭୟରୁ
ବେଶୀ ଅଟେ ମାରାତ୍ମକ,
ଦାଦନ କହିଲେ
ଲାଗୁଛି ଜୀବନ ଧିକ l
ଦ ଦୟା ଦେଖି ତୁମ
ଭାବୁଥିଲୁ ଭାରି ଭଲ,
ଓଡିଶାକୁ ଡାକି
କଟା ଘା' ରେ ଚୂନ ଦେଲ l
ଦୟନୀୟ ସ୍ଥିତି
କାହାକୁ ଅବା କହିବୁ,
କିଏ ବା ବୁଝିବ
ମରିଲେ ପଛେ ମରିବୁ l
ନିଜ ଲୋକ ଯଦି
ଦାଦନ ବୋଲି କହିବ,
କଷ୍ଟ ଲାଗୁଅଛି
କିପରି କୋହ ସହିବ l
ଦରିଆ ସଦୃଶ୍ୟ
ଅଟେ ଆମ ମନୋବୃତ୍ତି,
ଘୃଣା ସବୁ କଲେ
କଷ୍ଟ ଲାଗୁଅଛି ଅତି l
ଦଇବ ଆମକୁ
ଦେଇଛି ଦୁଃଖ ଦୁର୍ଦ୍ଦଶା,
ଘୋର ବିପତ୍ତିରେ
କରୁଅଛ ଲୋକହସା l
ନ ନ ଦେଇ ଯନ୍ତ୍ରଣା
ସଭିଏଁ ଏକାଠି ମିଶି,
ସବୁ ତ' ଓଡ଼ିଆ
ଆମେରେ ଓଡ଼ିଆବାସୀ l
ନ କାମ କରିଲେ
ଖାଇବାକୁ ମିଳିବନି,
ବଡ ବଡିଆଙ୍କ
ଗାଡି ଜମା ଗଡିବନି l
ଆମ ଠାରୁ ନେଇ
ତୁମେ ସବୁ ବଡ ଲୋକ,
ସାହାଯ୍ୟ ନ କରି
ରହୁଅଛ ହୋଇ ମୂକ l
ନମସ୍ତେ କରୁଛୁ
ଶୁଣ ମୋ' ଭଉଣୀ ଭାଇ,
ପେଟ ପାଇଁ ନାଟ
ଖଟୁଛୁ ଶ୍ରମିକ ହୋଇ l
ନ ଦିଅରେ କିଛି
ଆଶ୍ୱାସନା ଖାଲି ଦିଅ,
ରୋଗକୁ ଦୂରେଇ
ରୋଗୀକୁ ଯେ ଭଲ ପାଅ l
ନ ଜାଣି ଏପରି
କହିବାଟା ଠିକ ନୁହେଁ,
ବିପଦେ ସାହାଯ୍ୟ
ସବୁବେଳେ ମନେ ରହେ l
ଦାଦନ, ଦାଦନ
କାହାକୁ କୁହ ଦାଦନ,
ଦାଦନ ରକ୍ତରେ
ଓଡିଶା ଆଜି ମହାନ l
