ଦାଦନ ଭାଈ ବି ମଣିଷ
ଦାଦନ ଭାଈ ବି ମଣିଷ
କାନ୍ଦୁଛି ଦାଦନ
ଝରୁଛି ଶ୍ରାବଣ
ଭେଦି ତା ଦୁଇ ନୟନ ।
ପଚାରୁଛି ଆଜି
ନିଜକୁ ସେ ନିଜ
ସହିବ କେତେ କଷଣ ।
କେଉଁ କର୍ମ ଫଳ
ଅବା ଅଭିଶାପ
ଭାଗ୍ୟ କରେ ଉପହାସ ।
ନିଜର ରାଇଜେ
ମିଳୁନାହିଁ କାମ
ମିଳେ ଖାଲି ଅପଯଶ ।
କୁଶଳ ଶ୍ରମିକ
ପରିଶ୍ରମ ବଳେ
ଦେଶର ସଚ୍ଚା ନିର୍ମାତା ।
ନିଜ ଦେହ ଝାଳ
ପର ପାଇଁ ବୋହେ
କର୍ମକୁ ମାନି ବିଧାତା ।
ଅନ୍ୟର ମୁଖରେ
ଫୁଟାଇଣ ହସ
ପାଉଛି କେତେ କଷଣ ।
ପରିବାର ଠାରୁ
ରୁହେ ଯାଇ ଦୂରେ
ଭାଙ୍ଗିଦେଇ ନିଜ ମନ ।
ଛାଡ଼ି ଭିଟାମାଟି
ଗ୍ରାମ ମାତୃଭୂମି
ବିଦ୍ୟୁତ ସକଟେ ବସି ।
ଚାଲିଯାଏ ସିଏ
ଦୂର ବହୁଦୂର
ଅଜଣା ରାଇଜ ବାଛି ।
ଦରମା ମାଗିଲେ
ମାଲିକଠୁ ଖାଏ
ନାନାବିଧ ମାଡ଼ ଗାଳି
ଆଖିର ଲୁହକୁ
ଓଠେ ପିଇଯାଏ
ଦୁଃଖ ତା ଚିର ପଡ଼ୋଶୀ ।
ଶହ ଶହ ଦୂରୁ
ମହାମାରୀ ପାଇଁ
ପାଦେ ଚାଲି ଚାଲି ଆସେ ।
ବନ୍ଧୁ ପରିଜନ
ଭେଟିବା ଆଗରୁ
ଯମର ଦଉଡ଼ି ଗ୍ରାସେ ।
ଆମ ପରି ସିଏ
ସେ ବି ମଣିଷ
ପଞ୍ଚତତ୍ତ୍ୱେ ଗଢ଼ା ଦେହ ।
ଚାଲ ପୋଛିଦେବା
ଦାଦନ ଭାଇର ଆଖିରୁ
କ୍ଷରିତ ଲୁହ ।