ଦ୍ୱିତୀୟ ଈଶ୍ୱର
ଦ୍ୱିତୀୟ ଈଶ୍ୱର
ନାରୀଟିଏ ଭାବେ
“କ'ଣ ଏତେ ଦେଖେ ପୁରୁଷ ମୋ ଭିତରେ?
ସେଇ ୨୦୬ ଖଣ୍ଡ ହାଡ଼ ତା ଦେହରେ, ମୋ ଦେହରେ
କିଛି ମାଂସପେଶୀ, ଶିରାପ୍ରଶିରା ଉପରେ ଚର୍ମର ଆବରଣ
କ'ଣ ଏତେ ଦେଖେ ପୁରୁଷ ମୋ ଦେହରେ?”
ପୁରୁଷଟି ସବୁ ବେଳେ ଭ୍ରମରେ...
କେଉଁ ଉପାଦାନରେ ଗଢ଼ା ନାରୀଟିଏ
କାହିଁକି ତାର ଢ଼ଳ ଢ଼ଳ ନେତ୍ର ସମ୍ମୋହିତ କରେ
କାହିଁକି ଆକର୍ଷିତ କରେ ତାର ଇନ୍ଦ୍ରଧନୁ ସମ ବଙ୍କିମ ଭୁରୁ
ତା ଓଠରେ ହିଁ କେମିତି ଭରି ଦିଆହୋଇଛି ଯେତେକ ଲାଲିମା
ଗାଲ ଓ ଚିବୁକରେ ଆବଶ୍ୟକତା ଅନୁସାରେ ମାଂସ ଓ
ଏତେ କୋମଳପଣ ତ୍ୱଚାରେ ।
ଗ୍ରୀବା ଓ ଛାତିର ମସୃଣପଣ,
ମନଲୋଭା ନାଭି ଗର୍ତ୍ତ ସଙ୍ଗେ କଟୀରେ ମାତ୍ରାଧିକ କ୍ଷୀଣତା,
ଚାଲି ଓ ଠାଣୀରେ ଅବିଶ୍ୱସନୀୟ ମାଦକତା
କେବଳ ମାତ୍ର ନାରୀଟିଏର ଦେହର ଭୁଗୋଳ
ଏମିତି କେମିତି ମନଲୋଭା ହୋଇପାରେ ପୁରୁଷ ଆଖିରେ ।
ପୁରୁଷ ଖାଲି କ'ଣ ଦେଖେ ନାରୀର ଶରୀର?
ତା ମନର ନମନୀୟତା, କୋମଳ ହୃଦୟର ଆବେଗ, ବେଦନା,
ମୁଖର ଲଜ୍ଜା, ନିରିହପଣ ଭିତରୁ ଫୁଟି ଉଠୁଥିବା ସ୍ୱର୍ଗୀୟ ଝଲକ,
ଅଭିମାନ ଓ କୃତ୍ରିମ କ୍ରୋଧରେ ଅପରକୁ ଆୟତ୍ତ କରିବାର ଶୈଳୀ,
ତା ଆଖିରୁ ଝରି ଆସୁଥିବା ସଭିଙ୍କୁ ଆପଣାର କରି ପାରିବାର ପ୍ରେମର ଫଲ୍ଗୁ
କ'ଣ କିଛି ଅନୁଭୁତ ହୁଏ ନାହିଁ ପୁରୁଷକୁ?
ନାରୀ ଆଖିରେ ପୁରୁଷ କ'ଣ ଏତେ ହୃଦୟହୀନ, ସ୍ପନ୍ଦନହୀନ
ଯେ ଦେଖିପାରେ ନାହିଁ ନାରୀର ଅସହନୀୟ ଅସହାୟତା
ଶୁଣି ପାରେ ନାହିଁ ତା ହୃଦୟର ବିଳାପ, କ୍ରନ୍ଦନ
ଶରୀର ସର୍ବସ୍ୱ ମନେ କରିପାରେ ନାରୀଟିକୁ
ପାଶୋରି ଯାଇ ମାଆର ମମତ୍ୱ, ଭଗିନୀର ସ୍ନେହ,
ଜାୟାର ନିରବଚ୍ଛିନ୍ନ ସେବା ଓ ପ୍ରତିଦାନ!
ସେ କଣ ଏମିତି ଭୁଲି ଯାଇ ପାରିବ,
କନ୍ୟା ପ୍ରତି ତା ହୃଦୟରେ ବିଗଳିତ ଅସରନ୍ତି ସମ୍ବେଦନା ଓ
ତାର ଭବିଷ୍ୟତକୁ ନେଇ ମନ ମସ୍ତିଷ୍କରେ ଗଢ଼ି ଉଠୁଥିବା ମନନ, ଚିନ୍ତନ ।
ହେ ନାରୀ!
ତୁମେ ନୁହଁ କେବଳ ମାତ୍ର ରକ୍ତ, ମାଂସ, ତ୍ୱଚାଧାରୀ ସୁନ୍ଦର ଶରୀର
ଅମାପ ପ୍ରେମ, ବାତ୍ସଲ୍ୟରେ ଭରା ସୃଷ୍ଟିର ଆଧାର
ତୁମ ଅପରୂପ ସହିଷ୍ଣୁତା, ଅସୀମ ଧୈର୍ଯ୍ୟ
ଏ ବିଶ୍ୱକୁ କରିସାରିଛି ସ୍ତମ୍ଭୀଭୁତ ଅନେକ ଥର
ସତୀ ସୀତାଙ୍କ ଠାରୁ ଆରମ୍ଭ କରି ସାବିତ୍ରୀଙ୍କ ଯାଏଁ
ମୀରାବାଈଙ୍କ ଭକ୍ତି ଠାରୁ ଆରମ୍ଭ କରି ଯଶୋଦାଙ୍କ ବାତ୍ସଲ୍ୟ ଯାଏଁ
ଏ ବିଶ୍ୱ ଉପାସକ ତୁମ ଅନନ୍ୟ ଦୈବୀ ଗୁଣର
ତୁମେ, କେବଳ ତୁମେ ହିଁ ଈଶ୍ୱରଙ୍କ ପରେ
ଏ ଧରାର ଦ୍ୱିତୀୟ ଈଶ୍ୱର।