ଆଜିର ଅନୁଚିନ୍ତା : ମଣିଷ ପ୍ରକୃତି
ଆଜିର ଅନୁଚିନ୍ତା : ମଣିଷ ପ୍ରକୃତି


ଜୀବନ ଦ୍ୱିନିଆଁ ଦି' ଦିନ କୁଣିଆଁ
ଆଜି ଅଛି କାଲି ନାହିଁ,
ଆସି ଅଛ ଏକା ଚାଲି ଯିବା ଏକା
ବୃଥା ଅହଂକାର କାହିଁ !
ପଚିଶି ପ୍ରକୃତି ପାଞ୍ଚ ମନ ସ୍ଥିତି
କର୍ମ ହେଉ ଆମ ଧର୍ମ ,
ଅନ୍ତୁଡିର ଧୁଆଁ ଅନ୍ତ୍ୟେଷ୍ଟିର ନିଆଁ
ନ ଦହୁ ଆମ ସୁନାମ ।
ମାୟା ମରୀଚିକା ପଛେ ଧାଇଁ ଧୋକା
ପାଇବା ହେଉଛି ସାର ,
ସଂସାର ବନ୍ଧନେ ଅଳୀକ ଜୀବନେ
ଆପଣା ହେଉଛି ପର ।
ବଂଶ ରକ୍ଷା ଚିନ୍ତି ବ୍ରତରେ ଦମ୍ପତ୍ତି
ମାନସେ ସନ୍ତତି ପ୍ରାପ୍ତି ,
ସନ୍ତାନ ପ୍ରାପତେ ସ୍ୱର୍ଗ ସୁଖ ଲଭେ
ଭଣେ ଈଶ୍ୱର ଆଜ୍ଞପ୍ତି ।
ନିଜ ସୁଖ ଶିରୀ ଦୂରେ ପରିହାରି
ସନ୍ତାନେ ସର୍ବସ୍ବ ଦିଏ ,
ବୃଦ୍ଧତ୍ୱ ସମୟେ ସେ ସନ୍ତତି ଭୟେ
ଜରାଶ୍ରମେ ଛାଡି ଯାଏ ।
ଗୀତାସାର କୁହେ କାନ୍ଦୁଛ କାହିଁକି
କ'ଣ ଆଣି ହଜେଇଲ ?
ହୋଇଛି, ହେଉଛି ଯାହା କିଛି ହେବ
ପ୍ରାରବ୍ଧ କର୍ମର ଫଳ ।
ଆ
ଜି ଯା' କରିବ କାଲି ଫଳ ଦେବ
ଦେଲ, ନେଲ ଏହିଠାରେ,
ଯେ' ଆଜି ତୁମର ଥିଲା କାଲି କା' ର
ପୁଣି ହୋଇବ କାହାରେ ।
ସ୍ୱାର୍ଥପର ଅତି ମଣିଷ ପ୍ରକୃତି
ସ୍ୱାର୍ଥ ଥିଲେ ଆପଣାର,
ସ୍ୱାର୍ଥ ପୂର୍ଣ୍ଣେ ସିଏ ନୂଆ ଭାବ ଚାହେଁ
ଛାଡି ଯାଏ କରି ଦୂର ।
ଭଲ ପାଇଲେ ସେ ହସେ ଅବିଶ୍ୱାସେ
ସତକୁ ମିଛ ମଣଇଁ ,
ଦେଖି ଶ୍ରଦ୍ଧା ଭାବ ଖେସାମତି ଭାବେ
ସୁଖକୁ ହିଂସା କରଇ ।
ସାଧୁ ଉପଦେଶ ଠା'ରେ ତା' ର ରୋଷ
ପର ଚର୍ଚ୍ଚା କରେ ସଦା ,
କ୍ଷମା ଗୁଣକୁ ସେ ଦୁର୍ବଳତା ମଣେ
ବିଶ୍ୱାସକୁ ମାରେ ବିଧା ।
ଆବର୍ତ୍ତମାନ ଏ ' ସଂସାର ନିୟମ
ଈଶ୍ୱରଙ୍କ କ୍ରୀଡା ସ୍ଥଳୀ ,
କ୍ରୀଡାପୁତ୍ତଳିକା ଆମେ ହାତେ ତାଙ୍କ
ଯେଣେ ନେବେ ଯିବା ଚାଲି ।