ଦ୍ୱେତ କବିତା-କର ଧରି କରେ ଅଳି
ଦ୍ୱେତ କବିତା-କର ଧରି କରେ ଅଳି
କର ଧରି କରେ ଅଳି,
ତରତର ହୋଇ ନ ଯାଅ ଚଳି ଗୋ
ହୃଦ ବ୍ୟଥା ପଡ଼ିଲାଣି ବଳି...ରାଧିକେ ଗୋ ।
ଆସ ମୋ ପାଶରେ ବସ,
ହାସ ପରିହାସେ ମନକୁ ତୋଷ ଗୋ
ଚିତ୍ତ ଚିନ୍ତା ଯେତେ କରି ଶେଷ ରାଧିକେ ଗୋ ।
ଭେଟ ତ ନୋହୁଛି ନିତି,
ତୁମ ବିନା ଛାତି ହୁଏ କରତି ଗୋ
ଆଜ ଦିବ୍ୟାନନ୍ଦେ ଯିବା ମାତି ରାଧିକେ ଗୋ ।
ଚାହିଁ ତୁମ ଚନ୍ଦ୍ରାନନ,
ମୁରଲୀ ତାନରେ ମୋହିବି ମନ ଗୋ
ପ୍ରକମ୍ପିତ ହେବ ବୃନ୍ଦାବନ ରାଧିକେ ଗୋ ।
ଶୁଣ ହେ ଶ୍ୟାମ ସୁନ୍ଦର,
ତୁମକୁ ତ ଜଣା ସବୁ ହୁନ୍ଦର ହେ,
ହେଳେ ଟେକିଛ ପରା ମନ୍ଦର ମୋହନ ହେ ।
ମନ ଭୁଲାଣିଆ କଥା,
ଶୁଣାଇ ବିଗାଡ଼ି ଦିଅଟି ମଥା ହେ
ମୋତେ ଜଣା ତୁମ ଚତୁରତା ମୋହନ ହେ ।
ତୁମ ପ୍ରେମେ ପଡ଼ି ବନ୍ଧା,
ଗୋପପୁର ସାରା ରଟୁଛି ନିନ୍ଦା ହେ
ଏବେ ତୁଟାଅ ଅଡ଼ୁଆ ଧନ୍ଦା ମୋହନ ହେ ।
ଯଦି ମୋଠାରେ ଶରଧା,
ଖୋଲି କହିଦିଅ-'ମୋ ପ୍ରିୟା ରାଧା' ହେ
ଆଉ ନ ଥିବ ମିଳନେ ବାଧା ମୋହନ ହେ ।