ଚଉପଦୀ - କେଶର କୁଞ୍ଜ ଶେଯରେ
ଚଉପଦୀ - କେଶର କୁଞ୍ଜ ଶେଯରେ
କବି ଗୋପାଳକୃଷ୍ଣ ପଟ୍ଟନାୟକ
ବୃତ୍ତ ଗଡ଼ମାଳିଆ
କେଶର କୁଞ୍ଜ ଶେଯରେ । ବ୍ରଜେନ୍ଦୁ ବୃନ୍ଦାଙ୍କୁ ପୁଚ୍ଛନ୍ତି ଧୀରେ ।
ସହଚରୀ ରେ । ରାଧା ବୋଲି କେ ବ୍ରଜରେ ।
ଶୁଣିଲା ବେଳୁଁ ସେ ନାମ । ସୁଧାପାନ ପରି ଲାଗୁଛି ଶ୍ରମ ।
ସହଚରୀ ରେ । ଫିଟାଇ କହ ମରମ ।
ଚଉଦିଗକୁ ଅନାଇ । ବୃନ୍ଦା ମନ୍ଦ ମନ୍ଦ ହସିଲା ହୋଇ ।
କହିଆସୁ ସେ । ଅଙ୍ଗେ ପୁଲକ ପୂରାଇ ।
ସେ ଶ୍ରୀବୃଷଭାନୁ ଜେମା । କିଶୋରୀ ଗୋତ୍ର ନକ୍ଷତ୍ର ଚନ୍ଦ୍ରମା ।
ରସରାଜ ହେ । ରମ୍ୟ ବନ୍ଦ୍ୟ ଯା ସୁଷମା ।
ଶ୍ୟାମସୁନ୍ଦରକୁ ମୋର । ଏକା ରାଧିକା ଥିଲା ପଟାନ୍ତର ।
ବୋଲୁ ସଜନୀ । ନାମ ଶୁଣିଲି ତାହାର ।
କୃଷ୍ଣ କହନ୍ତି ବୟସ । ଭାଷ କେତେ ହୋଇଥିବ ବରଷ ।
ସହଚରୀ ରେ । ବୋଲୁଁ ବୃନ୍ଦା ହସ ହସ ।
ବୟସ ଏଗାର ବାର । ଭିତରେ ପରି ହେଉଛି ଗୋଚର ।
ରସରାଜ ହେ । ସେ ସାଧ୍ୱୀ ଶିରୋମଣିର ।
