ନଈ
ନଈ
ନିର୍ବାକ ନଈଟେ ତୁ ଆଜି ସମୟ ସ୍ରୋତରେ
କେବେ ଦିନେ ଥିଲୁ ଛଳଛଳ ଚଳ ଚଞ୍ଚଳ,
ଏବେ ଅନ୍ଧାର ହିଁ ଅନ୍ଧାର ଚଉଦିଗେ ତୋର
ସକାଳ କି ସଂଜର ନାହିଁ କିଛି ଥଳ କୂଳ ।
ସବୁଠି ବିଷାକ୍ତ ଖେଳର ଖୁବ୍ ଆୟୋଜନ
ହିମାଚଳଠୁ କୁମାରିକା ଯାଏ ପ୍ରତିଦିନ,
ଗଙ୍ଗା ଗୋଦାବରୀ କୃଷ୍ଣା ମହାନଦୀ କାବେରୀ
ସର୍ବେ ହେବାକୁ ବସିଲଣି ଭୂଗର୍ଭେ ବିଲୀନ ।
ଆଉ କେତେ ଲୁଚେଇବୁ ମିଛ ବାହାନା କରି
ନିଜକୁ ନିଜ ଆଖିରେ ମିଥ୍ୟା ଆଡ଼ମ୍ବରରେ,
ମନ କଥା ମନେ ରଖି ଅତୀତକୁ ଝୁରୁଛୁ
ବିବର୍ତ୍ତିତ ପୃଥିବୀର ଏ ଭିନ୍ନ ଦୁନିଆରେ ।
କେବେ ଦିନେ ତୁ ପାଉଥିଲୁ ମାଆର ସମ୍ମାନ
ବଞ୍ଚିବାର ଆଧାର ସୁଖ ସ୍ବପ୍ନର ସନ୍ଧାନ,
ତୋ କୂଳରେ ଗଢୁଥିଲା ନୀତି ନୂଆ ସଭ୍ୟତା
ତୋତେ ନେଇ ହିଁ ଯାବତୀୟ ଜୀବିକା ଜୀବନ ,
ସମୟ ବଦଳିଛି ପରିସ୍ଥିତି ତାଡ଼ନାରେ
ତୋତେ ଦୂରେଇ ରଖି ତୋ ନିଜ ଠାରୁ ଦୂରେ,
କେବେ ପ୍ରଗତି ନାଁ ରେ କେବେ ତୁଛା ଛଳନାରେ
ହଁ କ୍ଷତ ବିକ୍ଷତ କରି ତୋତେ ତୋ ଦୁନିଆରେ ।
ଫେରାଇବ କେ କହିଲୁ ତୋତେ ପୁରୁଣା ଦିନ
ସେ ଆପଣାପଣ ଆତ୍ମୀୟତା ମାନ ସମ୍ମାନ,
ଆଶା ଆଶ୍ବାସନା ଧରି ଏ ଜୀବନ ଭିତରେ
ନୂତନ ସୂର୍ଯ୍ୟୋଦୟର ନୂଆ ସମ୍ଭାବନାରେ .... ।